ଗମନାଗମନରେ ଯୋଡ଼ିହେଲା ନୂଆ ଅଧ୍ୟାୟ; ଗଜପତିରେ ଗଡ଼ିଲା ‘ଲକ୍ଷ୍ମୀ’ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗଜପତି: ରାଜ୍ୟର ଗମନାଗମନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଏକ ଅଧ୍ୟାୟ । ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଆଜି ଠାରୁ ଗଜପତି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ବସ୍ ଚଳାଚଳ ଆରମ୍ଭ କରିଛି । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଆଜି ଗଜପତି ଲାଗି ଗୌରବର ଦିନ । କିଛି ଦିନ ପୂର୍ବରୁ ଏହି ଯୋଜନା ମାଲକାନଗିରିରେ ଆରମ୍ଭ ହୋଇଥିଲା । ଏହି ଯୋଜନା ଜନଗଣଙ୍କର ଯୋଜନା । ଏହି ଯୋଜନାରେ ଗାଁକୁ ଗାଁକୁ ଯୋଡିହେବ । ଲୋକଙ୍କ ସାମାଜିକ ସମ୍ପର୍କ ମଜଭୁତ ହେବ । ଅର୍ଥନୀତି ସଶକ୍ତ ହେବ । ଏକ ହଜାରରୁ ଅଧିକ ବସ୍ ଚାଲିବ । ପଞ୍ଚାୟତରେ ବିକାଶର ଧାରା ଜାରି ରହିଛି । ଯୋଗାଯୋଗ ବିକାଶର ଆଧାର ।
ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହିତ ଯୋଡିବ । ଏହି ଯୋଜନା ଘରେ ଘରେ ଖୁସି ଆଣିବ । ବ୍ୟାଙ୍କିଙ୍ଗ, ଇଣ୍ଟରନେଟ, ଡିଜିଟାଲର ବିକାଶ ହେବ । ସଂସ୍କୃତିର ମଧ୍ୟ ବିକାଶ ହେବ । ଗଜପତିର ବିକାଶ ଆହୁରି ଉଜ୍ବଳ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାକୁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ 36 ଟି ବସ୍ ଯୋଗାଇଛନ୍ତି । ଗଜପତି ଜିଲ୍ଲାର ସାତଟି ବ୍ଲକର ଉପାନ୍ତ ପଞ୍ଚାୟତଗୁଡ଼ିକରୁ ବ୍ଲକ୍ ସଦର ମହକୁମାକୁ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ ହୋଇଛି ।

ଅପରପକ୍ଷରେ ଏହି ଯୋଜନାକୁ ସ୍ଥାନୀୟ ବସ୍ ମାଲି ସଂଘ ପକ୍ଷରୁ ବିରୋଧ କରାଯାଉଥିବାବେଳେ ଆଜି ବସ୍ ଚଳାଚଳ ବନ୍ଦ ରହିଛି । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଆଜି ଠାରୁ ଧର୍ମଘଟ ଡାକରା ଦେଇଛି । ଫଳରେ ସମସ୍ତ ଘରୋଇ ବସ୍ ବନ୍ଦ ରହିଛି । କେବଳ ବାଲେଶ୍ୱର ଜିଲ୍ଲାରେ ବସ୍ ଚଳାଚଳ ଜାରି ରହିଛି ।












Click it and Unblock the Notifications