ଆଉ ପାଦେ ଆଗେଇଲା ଓଡିଶାର ସ୍ୱାସ୍ଥ୍ୟକ୍ଷେତ୍ର, କ୍ୟାପିଟାଲ ହସ୍ପିଟାଲରେ ଉଦଘାଟନ ହେଲା ମଡ୍ୟୁଲାର ଓଟି
ଭୁବନେଶ୍ୱର: ଆହୁରି ସୁଦୃଢ ହେବ ଓଡ଼ିଶାର ସ୍ୱାସ୍ଥ୍ୟ ସେବା । ରାଜ୍ୟର ସ୍ୱାସ୍ଥ୍ୟସେବାର ସୃଷ୍ଟି ହୋଇଛି ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ନୂଆ ଅପରେସନର ଟେକ୍ନୋଲଜି ।
ମଡ୍ୟୁଲାର ଓଟିର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ସରଞ୍ଜାମ । ଏକ ସାଙ୍ଗରେ 8 ଜଣଙ୍କର ହୋଇପାରିବ ଅସ୍ତ୍ରୋପଚାର । ଅତ୍ୟାଧୁନିକ ଓଟି ପାଇଁ 16.76 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ରାଜ୍ୟ ସରକାର 15.34 କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ବିମାନବନ୍ଦର ପ୍ରାଧିକରଣ ଔଦଗୀୟ ସାମାଜିକ କର୍ତ୍ତବ୍ୟ ପାଣ୍ଠି ରୁ 1.42 କୋଟି ଟଙ୍କା ପ୍ରଦାନ କରାଯାଇଛି । 1 ମହଲା ବିଶିଷ୍ଟ ଘରେ 8 ଟି ଗୃହ ରହିଛି । ଏଥିମଧ୍ୟରୁ 5 ଟି ଗୃହରେ ଓଟିର ବ୍ୟବସ୍ଥା ରହିଥିବା ବେଳେ ବାକି ଦୁଇଟି ଗୃହରେ ରୋଗୀଙ୍କ ପାଇଁ ଶଯ୍ୟା ରହିଛି । ଏଭଳି ବ୍ୟବସ୍ଥା କରାଯିବାରେ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ପ୍ରଥମ ହସ୍ପିଟାଲ ।
ଏହାଦ୍ବାରା ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆସୁଥିବା ରୋଗୀଙ୍କୁ ଆଉ ଅନ୍ୟ ହସ୍ପିଟାଲକୁ ରେଫର କରାଯିବ ନାହିଁ । ବିଶେଷ କରି ଅସ୍ଥିଶଲ୍ୟ ଓ ହୃଦରୋଗ ବିଭାଗର ଅସ୍ତ୍ରୋପଚାର ସୁବିଧାରେ ହୋଇପାରିବା ସହ ସାଧାରଣ ରୋଗୀ ଅଧିକରୁ ଅଧିକ ଉପକୃତ ହୋଇପାରିବେ ।












Click it and Unblock the Notifications