ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାୟଗଡ଼ା: ରାୟଗଡ଼ାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସସିଂ ଜରିଆରେ ଲକ୍ଷ୍ମୀ ବସ୍ ସେବାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାୟଗଡା ଜିଲ୍ଲାର 11 ଟି ବ୍ଲକରେ ମୋଟ 182 ଟି ପଞ୍ଚାୟତର 39 ଟି ରୁଟରେ ଚଳାଚଳ କରିବ ଲକ୍ଷ୍ମୀ ବସ୍ । ଏହା ଦ୍ୱାରା ପ୍ରାୟ 9 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।

ପଞ୍ଚାୟତରେ ବିକାଶର ନୂଆ ଧାରା ଆରମ୍ଭ କରିଛି ଲକ୍ଷ୍ମୀ । ଏହା ଗାଁକୁ ଗାଁ ଯୋଡିବା ସହ ଗମନାଗମନ ଓ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆଣିବ । ଲୋକଙ୍କ ସାମାଜିକ ସମ୍ପର୍କ ଓ ଅର୍ଥନୀତି ଆହୁରି ମଜଭୁତ୍ କରି ସମସ୍ତଙ୍କୁ ବିକାଶ ସହିତ ଯୋଡିବ ଲକ୍ଷ୍ମୀ ବସ୍ । ଲୋକଙ୍କ ଆବଶ୍ୟକତା ଅନୁସାରେ ଲକ୍ଷ୍ମୀ ବସ ସେବା ଆରମ୍ଭ ହୋଇଛି । ଲୋକଙ୍କ ଘର ପାଖକୁ ବସ୍ ଆସିବ । ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଚାଷୀଙ୍କ ପାଇଁ ବଜାର ଓ ରୋଗୀଙ୍କ ପାଇଁ ଡାକ୍ତରଖାନାକୁ ଗାଁ ସହିତ ଯୋଡ଼ିବ ଲକ୍ଷ୍ମୀ । ଏଥିପାଇଁ ସାରା ରାଜ୍ୟରେ ହଜାରେ ବସ ଚଳାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।
ଏହି ଉଦଘାଟନୀ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢୀ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଅକ୍ଟୋବର 12 ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ 'ଲକ୍ଷ୍ମୀ ବସ୍' ସେବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଅକ୍ଟୋବର 20 ରେ ଗଜପତି ଏବଂ ନଭେମ୍ବର 1 ରେ କଳାହାଣ୍ଡି ଜିଲ୍ଲାରେ 'ଲକ୍ଷ୍ମୀ ବସ'ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।












Click it and Unblock the Notifications