ତ୍ଵରିତ ହେବ ସ୍ୱାସ୍ଥ୍ୟ ସେବା, ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ଆହୁରି ତ୍ଵରିତ ହେବ ସ୍ୱାସ୍ଥ୍ୟ ସେବା । ଏ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଆମ୍ବୁଲାନ୍ସ ରାଜ୍ୟର ମେଡିକାଲ ଆମ୍ବୁଲାନ୍ସ ସେବାରେ ଯୋଗ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ଆହୁରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହେବ । 'ପ୍ରତି ଜୀବନ ମୂଲ୍ୟବାନ' ନୀତି ଅନୁଯାୟୀ ଆମର ଉଦ୍ୟମ ଜାରି ରହିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଆଜି ଲୋକାର୍ପିତ ଆମ୍ବୁଲାନ୍ସ ଗୁଡିକ ମଧ୍ୟରୁ ୨୭୯ଟିକୁ ୧୦୮-ଆମ୍ବୁଲାନ୍ସ ସେବାରେ ସାମିଲ କରାଯାଇଛି । ବାକି ୭୦ଟିକୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ୭୦ଟି ମଧ୍ୟରୁ ୪୦ଟି ହେଉଛି ଜୀବନ ରକ୍ଷାକାରୀ ମୌଳିକ ଆମ୍ବୁଲାନ୍ସ ଏବଂ ୩୦ଟି ଜୀବନ ରକ୍ଷାକାରୀ ଅତ୍ୟାଧୁନିକ ଆମ୍ବୁଲାନ୍ସ। ସମୁଦାୟ ୩୪୯ଟି ଆମ୍ବୁଲାନ୍ସ ବାବଦରେ ୧୪୮.୪୫ କୋଟି ଟଙ୍କା ବିନିଯୋଗ କରାଯାଇଛି ।
୧୦୮-ଆମ୍ବୁଲାନ୍ସ ସେବାରେ ଏହି ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୧୩୬୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ପ୍ରତିଦିନ ହାରାହାରି ୪୦୦୦ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮-ଆମ୍ବୁଲାନ୍ସ ସେବା ଦ୍ଵାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ନୂଆ ଆମ୍ବୁଲାନ୍ସ ଗୁଡିକ ସାମିଲ ହେବା ପରେ ୧୦୮-ଆମ୍ବୁଲାନ୍ସ ସେବା ଆହୁରି ତ୍ଵରିତ ଏବଂ ସୁବିଧାଜନକ ହେବ ।
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକୁ ଯୋଗଉଥିବା ୭୦ଟି ଆମ୍ବୁଲାନ୍ସ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଭୁକ୍ତ ରୋଗୀମାନଙ୍କୁ ଆବଶ୍ୟକ ସ୍ଥଳେ ସରକାରୀ ଡାକ୍ତରଖାନାରୁ ଘରୋଇ ହସ୍ପିଟାଲକୁ ଜରୁରୀକାଳିନ ସ୍ଥାନାନ୍ତରରେ ବ୍ୟବହାର ହେବା ସହ ଜିଲ୍ଲା ସ୍ତରରେ ଅନ୍ୟ ରୋଗୀମାନଙ୍କ ଜରୁରୀ ଆବଶ୍ୟକତା ପୁରଣରେ ସହାୟକ ହେବ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଭାଗୀୟ ସଚିବ ଶାଲିନି ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।












Click it and Unblock the Notifications