ଭୂମିହୀନ ହୋଇଯିବ ଇତିହାସ, ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା; 1010 ବିଜୁ କଲୋନୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ରାଜ୍ୟର ସହରରେ ଭୂମିହୀନ ହୋଇଯିବ ଇତିହାସ । ସମସ୍ତଙ୍କୁ ମିଳିବ ଜମିପଟ୍ଟା । ଏହା ସହ ରାଜ୍ୟରେ ଆଉ ରହିବନି ବସ୍ତି । ସବୁ ବସ୍ତି ହେବ ଆଦର୍ଶ କଲୋନୀ । ଏହାର ନାଁ ରହିବ ବିଜୁ ଆଦର୍ଶ କଲୋନୀ । ରାଜ୍ୟର 5 ଟି ମହାନଗର ନିଗମର ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର 5ଟି ମହାନଗର ନିଗମର 65 ହଜାର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ କରିଛନ୍ତି । ସବୁ ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଜାରି ରହିବ ଏ କାର୍ଯ୍ୟକ୍ରମ ।

ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ମହାନଗରନିଗମର 875 ବସ୍ତିର ଲୋକଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି । । ଏହାସହ 1010 ଟି ବିଜୁ ଆଦର୍ଶ କଲୋନୀର ବି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
65 ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରେ 51 ହଜାର ପରିବାରକୁ ପଟ୍ଟା ବଣ୍ଟନ କରାଯାଇଛି । ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନିସିପାଲିଟିର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଉଥିବା ବେଳେ ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ମଧ୍ୟ ପଟ୍ଟା ବଣ୍ଟନ କରିବାକୁ ରାଜ୍ୟ ସରକାର ଗତବର୍ଷ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଗତବର୍ଷ ନଭେମ୍ବରରେ ଡ୍ରୋନ୍ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । 5ଟି ମହାନଗର ନିଗମ ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ ସହ ମହାନଗର ନିଗମ ସମେତ ରାଜ୍ୟର 115 ଟି ସହରାଞ୍ଚଳର ୧୦୧୦ଟି ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜାଗା ସହ ଘର କରିବା ପାଇଁ ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣ ପତ୍ର ପ୍ରଦାନ କରାଯିବ । ସହରର ସବୁ ଗରିବ ପରିବାରଙ୍କୁ ଭୂମି ଅଧିକାର ମିଳିବା ପର୍ଯ୍ୟନ୍ତ ଏ ଅଭିଯାନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସହର କେବଳ ଧନୀ ଲୋକଙ୍କର ନୁହଁ । ଗରିବ ଲୋକର ମଧ୍ୟ ସ୍ୱାଭିମାନ ସହ ସହରରେ ବଞ୍ଚିବାର ଅଧିକାର ରହିଛି । ସହରର ନିର୍ମାଣରେ ବ୍ୟବହୃତ ପ୍ରତିଟି ଇଟାରେ ଗରିବ ଲୋକର ପରିଶ୍ରମ ଯୋଡି ହୋଇ ରହିଛି । ସେମାନଙ୍କ ଅବଦାନକୁ ଆମେ ସମସ୍ତେ ସମ୍ମାନ ଜଣାଇବା ଉଚିତ । ଜାଗା ମିଶନ ଗରିବ ଲୋକକୁ ସମ୍ମାନ ଦେଇଛି, ନୂଆ ପରିଚୟ ଦେଇଛି ।
ଆମର ଏ କାର୍ଯ୍ୟକ୍ରମ କେବଳ ଓଡିଶା ନୁହେଁ, ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ପ୍ରକାଶ କରି ସେ କହିଥିଲେ ଯେ, ବିକାଶର ସୁଫଳରେ ଗରିବ ଲୋକର ପ୍ରଥମ ଅଧିକାର ରହିଛି । ସହରର ରୂପାନ୍ତରରେ ଜାଗା ମିଶନ ନୂଆ ଯୁଗ ଆରମ୍ଭ କରିଛି ବୋଲି ମତ ଦେଇଥିଲେ ।
ସହରାଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କ ଜମି ଅଧିକାର ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାଗା ମିଶନ ଜରିଆରେ ଲ୍ୟାଣ୍ଡ ରାଇଟ ସାର୍ଟିଫିକେଟ ପାଇବା ପରେ ଗରିବ ଲୋକ ମଧ୍ୟ ସ୍ୱାଭିମାନରେ ବଞ୍ଚି ପାରିବେ କହିଛନ୍ତି ନବୀନ ପଟ୍ଟନାୟକ । 2018 ମସିହାରେ ଆରମ୍ଭ ହୋଇଥିବା ଜାଗା ମିଶନ ଯୋଜନାରେ ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର 1 ଲକ୍ଷ 70 ହଜାର ପରିବାର ନୂଆ ପରିଚୟ ପାଇଛନ୍ତି । ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ନାକେବଳ ଓଡିଶା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିଏମ୍ସି ଅଧିନରେ ଥିବା ବାକି 46 ହଜାର ବସ୍ତିବାସିନ୍ଦାଙ୍କ ପାଇଁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପଟ୍ଟା ବଣ୍ଟନ କରାଯିବ । ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ବରମୁଣ୍ଡା ପଡିଆରେ କାର୍ଯ୍ୟକ୍ରମ ହୋଇଛି । ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଲକ୍ଷ୍ମୀସାଗର ମେଲଣ ପଡିଆ, ଉତ୍ତର ନିର୍ବାଚନ ମଣ୍ଡଳୀ ପାଇଁ ଜନତା ମଇଦାନରେ କାର୍ଯ୍ୟକ୍ରମ ହେବ । ଏଥିରେ ସ୍ଥାନୀୟ ବିଧାୟକ, ମେୟର ଓ କର୍ପୋରେଟର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବାଣ୍ଟିବେ ।
ମହାନଗର ନିଗମ ଅଞ୍ଚଳରେ ଭୂମିହୀନଙ୍କୁ ଜମିପଟ୍ଟା ବଣ୍ଟନ ପାଇଁ ଗତ ବର୍ଷ ଅକ୍ଟୋବର 10 ତାରିଖରେ ଡ୍ରୋନ୍ ଯୋଗେ ସର୍ଭେ ହୋଇଥିଲା । ଜାଗା ମିଶନ ଜରିଆରେ ଲୋକମାନଙ୍କୁ କିପରି ତ୍ୱରିତ ସେବା ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦିଆଯାଇଛି । ସବୁ ବସ୍ତିରେ ପିଇବା ପାଣି, ଷ୍ଟ୍ରିଟ୍ ଲାଇଟ୍, ଡ୍ରେନେଜ, ବିଦ୍ୟୁତ, ଶୌଚାଳୟ ଯୋଗାଇ ଦିଆଯିବ ।












Click it and Unblock the Notifications