ସୁନ୍ଦରଗଡରେ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୮୬.୨୫ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଇବ୍ ନଦୀରେ ଭଷ୍ମା ନଦୀଗର୍ଭ ଜଳାଶୟ ପ୍ରକଳ୍ପ ଓ ସପେଇ ନଦୀରେ ଫୁଲବାରୀ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଭଷ୍ମା ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୨.୫୦ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଫୁଲବାରୀ ପ୍ରକଳ୍ପ ପାଇଁ ୧୨୩.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କ ଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଦୁଇଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।
ଏହାଦ୍ବାରା ପାଞ୍ଚଟି ବ୍ଲକ୍ର ଲୋକ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବିଶେଷ ସହାୟକ ହେବ । ଭଷ୍ମା ପ୍ରକଳ୍ପ ଦ୍ବାରା ଟାଙ୍ଗରାପଲି, ସୁନ୍ଦରଗଡ ଓ ଝାରସୁଗୁଡା ବ୍ଲକ୍ରେ ଜନସାଧାରଣ ଉପକୃତ ହେବା ବେଳେ, ଫୁଲବାରୀ ପ୍ରକଳ୍ପ ଦ୍ବାରା ବଡଗାଁ ଓ ବାମରା ବ୍ଲକ୍ର ଜନସାଧାରଣ ଉପକାର ପାଇବେ ।












Click it and Unblock the Notifications