ବଦଳିବ ମା' ବୁଢୀ ଠାକୁରାଣୀ ମନ୍ଦିରର ରୂପରେଖ, 18 ଲକ୍ଷ 91 ଲକ୍ଷ ଟଙ୍କା ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ବଦଳିବ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢୀ ଠାକୁରାଣୀଙ୍କ ମନ୍ଦିରର ରୂପରେଖ । ଏହାର ବିକାଶ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇଟି ପର୍ଯ୍ୟାୟରେ ବିକାଶ କାମ ପାଇଁ ଅନୁମୋଦନ କରିଛନ୍ତି 18 କୋଟି 91 ଲକ୍ଷ ଟଙ୍କା ।

ଏହା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ଆରାଧ୍ୟ ଦେବୀ ମା ବୁଢୀ ଠାକୁରାଣୀ କେବଳ ଗଞ୍ଜାମ ବା ଓଡିଶା ନୁହେଁ, ପଡୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ପ୍ରସିଦ୍ଧ ଅଟନ୍ତି । ମା'ଙ୍କ ପୂଜା ନିମନ୍ତେ ପ୍ରତିଦିନ ଓଡିଶା ଓ ଆନ୍ଧ୍ରପ୍ରଦେଶରୁ ବହୁ ଭକ୍ତ ଆସିଥାନ୍ତି । ତେଣୁ ଭକ୍ତମାନଙ୍କ ସୁବିଧା ତଥା ମନ୍ଦିରର ବିକାଶ ତଥା ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ।
ଏଥିରେ ମୁଖ୍ୟ ମନ୍ଦିରର ବିକାଶ ସହ ମନ୍ଦିର କାନ୍ଥ ତଥା ଚଟାଣରେ ପଥର ବିଛାଯିବ । ଯଜ୍ଞ କୁଣ୍ଡ, ମନ୍ଦିର କାର୍ଯ୍ୟାଳୟର ପୁନଃନିର୍ମାଣ, ପାଚେରୀ, ଉଦ୍ୟାନ, ସୁସଜ୍ଜିତ ପ୍ରବେଶ ଦ୍ୱାର ସହିତ ମନ୍ଦିରକୁ କଳିଙ୍ଗ ସ୍ଥାପତ୍ୟରେ ସୁଶୋଭିତ କରାଯିବ। ସେହିପରି ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ହସ୍ତ ପଦ ଧୋଇବା ପାଇଁ ପାଣିର ବ୍ୟବସ୍ଥା, ପ୍ରେକ୍ଷାଳୟ ଆଦି ନିର୍ମାଣ କରାଯିବ। ଏହାସହିତ ବିଭିନ୍ନ କାର୍ଯ୍ୟରେ ବ୍ୟବହାର ପାଇଁ ହଲ, ପୂଜକମାନଙ୍କ ପାଇଁ ଗୃହ, ମନ୍ଦିର ରୋଷଘର, ଭୋଗମଣ୍ଡପ ମଧ୍ୟ ନିର୍ମାଣ କରାଯିବ। ମନ୍ଦିରକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଆଲୋକ ସଜ୍ଜା ମଧ୍ୟ କରାଯିବ ।












Click it and Unblock the Notifications