ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ସେବା ପ୍ରଦାନକାରୀ ଏଜେନ୍ସି ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କର୍ମଚାରୀ ମାନଙ୍କ ପାରିଶ୍ରମିକରେ 25 ପ୍ରତିଶତ ବୃଦ୍ଧି ଘୋଷଣା କରିବା ସହ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ୍ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ଉପରେ ଗୁରୁତ୍ୱ ଦେଇଛନ୍ତି ।
ଏହା ସହ ଆଉଟସୋର୍ସିଂ କର୍ମଚାରୀ ଓ ସେବା ପ୍ରଦାନକାରୀ ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ Odisha State Outsourcing Employees OMBUDSMAN ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଅଭିଜ୍ଞତା ଥିବା କାର୍ମଚାରୀ ମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକହଜାର ଟଙ୍କା ମିଳିବ । ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ 120 ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ । ଆଉଟସୋର୍ସିଂ କର୍ମଚାରୀ ତଥା ସେବା ପ୍ରଦାନକାରୀ ଏଜେନ୍ସିଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ ।

ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ GA&PG Department, CMGI ଜରିଆରେ ଏକ ସଫ୍ଟୱେର୍ ଆପ୍ଲିକେସନ ବିକଶିତ କରାଯିବ । ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ । ଯେଉଁ ଆଉଟସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ । ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସେବା ପ୍ରଦାନକାରୀ ଏଜେନ୍ସି ମାନଙ୍କ ସହିତ ସପ୍ଲିମେଣ୍ଟାରୀ ଚୁକ୍ତି କରିବେ ।












Click it and Unblock the Notifications