ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ 4 ଲକ୍ଷ ଟଙ୍କା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡ୍ରାଇଭରଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି ଡ୍ରାଇଭରଙ୍କ ମୃତ୍ୟୁ ହେଲେ ମିଳିବ 4 ଲକ୍ଷ ଟଙ୍କା । ମୋଟର ଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଗଠନ ହେବାକୁ ଥିବା କଲ୍ୟାଣ ବୋର୍ଡ ପ୍ରସ୍ତାବକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି । ମୋଟର ଯାନ ଡ୍ରାଇଭର ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି ।
ଏହି ଯୋଜନାରେ ଡ୍ରାଇଭର ଏବଂ କର୍ମଚାରୀଙ୍କ ମୃତ୍ୟୁ ହେଲେ 4 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସେହିପରି ଗଭୀର ଆଘାତ କ୍ଷେତ୍ରରେ 80 ହଜାର ଟଙ୍କା ସହାୟତା ଘୋଷଣା ଦିଆଯିବା ନେଇ ଘୋଷଣା ହୋଇଛି ।ସ୍ଥାୟୀ ଅକ୍ଷମତା ମାମଲାରେ ମୋଟର ପରିବହନ ଡ୍ରାଇଭର କିମ୍ବା କର୍ମଚାରୀଙ୍କୁ ଦେଢ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ସାଧାରଣ ମୃତ୍ୟୁ ମାମଲାରେ ବ୍ୟକ୍ତିଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ଏହା ବ୍ୟତୀତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମଧୁବାବୁ ପେନସନ ଯୋଜନା ଆଦିରେ ସେମାନଙ୍କ ଯୋଗ୍ୟତା ଅନୁସାରେ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନାରେ 5 ଲକ୍ଷରୁ ଅଧିକ ଡ୍ରାଇଭର ଏବଂ କର୍ମଚାରୀ ଉପକୃତ ହେବେ । କଲ୍ୟାଣ ବୋର୍ଡରେ ସରକାରୀ ସଦସ୍ୟଙ୍କ ସହିତ ମୋଟର ପରିବହନ ଡ୍ରାଇଭର ରହିବେ । କର୍ମଚାରୀ ମାନଙ୍କର ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ ।
ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ, ବୋର୍ଡ, ପଞ୍ଜୀକରଣ ଶୁଳ୍କ ସଂଗ୍ରହ, ଯାନ ମାଲିକଙ୍କ ଅବଦାନ ଏବଂ ଅନ୍ୟାନ୍ୟ ଉତ୍ସରୁ ପାଣ୍ଠି ସଂଗ୍ରହ କରି ଏହି ଯୋଜନାକୁ ପରିଚାଳନା କରିବେ ।












Click it and Unblock the Notifications