ପୁନଃ ବିକଶିତ ସୁଆଣ୍ଡୋ ଲୋକାର୍ପଣ କରି କହିଲେ ମୁଖ୍ୟମନ୍ତ୍ରୀ, 'ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ଠାରେ ଋଣୀ'
ପୁନଃବିକଶିତ ହେବା ପରେ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ । ଆଜି(ଗୁରୁବାର) ଗୋପବନ୍ଧୁଙ୍କ ଜନ୍ମମାଟିକୁ ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ସୁଆଣ୍ଡୋର ଲୋକାର୍ପଣ କରିଛନ୍ତି ।

ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ନୂଆରୂପ ପାଇଛି । ପୁନଃବିକଶିତ ହେବା ପରେ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ । ଆଜି(ଗୁରୁବାର) ଗୋପବନ୍ଧୁଙ୍କ ଜନ୍ମମାଟିକୁ ଗସ୍ତକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ସୁଆଣ୍ଡୋର ଲୋକାର୍ପଣ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରେ ପାଦ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେ ଥିଲେ ଯୁଗପୁରୁଷ । ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ଠାରେ ଋଣୀ । ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି ସୁଆଣ୍ଡୋ । ଲୋକେ ଏଥିପାଇଁ ସଂପୂର୍ଣ୍ଣ ସହଯୋଗ କରିବାରୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସଶକ୍ତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ପୁଣିଥରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ପ୍ରଥମେ ଶିବ ମନ୍ଦିରକୁ ଯାଇ ପୂଜା କରି ମୁଖ୍ୟମନ୍ତ୍ରୀ ଷଠିଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ନବୀନ ପଟ୍ଟନାୟକ । ଜନ୍ମମାଟିର ନବକଳେବର କରାଯାଇଥିବା ବେଳେ ଗ୍ରାମରେ ଗୋପବନ୍ଧୁଙ୍କ ସ୍ମୃତି ବହନ କରୁଥିବା ସବୁ ସ୍ଥାନର ବିକାଶ କରାଯାଇଛି । 25 କୋଟି 80 ଲକ୍ଷ ଟଙ୍କା ବ୍ୟୟରେ ଗାଁର ବିକାଶ କରାଯାଇଥିବା ବେଳେ ପ୍ରକଳ୍ପ ଭିତରେ ରହିଛି ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣିଙ୍କ ପ୍ରାୟ 15 ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ଓ ଷଠିଘର ନିର୍ମାଣ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷାସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।












Click it and Unblock the Notifications