ଚାଷୀ ମୁଣ୍ଡରେ ଚଡ଼କ, ମାତିଲେଣି ଚକଡ଼ା ପୋକ
କେନ୍ଦୁଝର: ଚାଷୀ ମୁଣ୍ଡରେ ପଡ଼ିଛି ଚଡ଼କ । ଅମଳ ଆଗରୁ ମାତିଲେଣି ଚକଡ଼ା ପୋକ । ଫୁଲ ଫୁଟି ଧାନ ଧରିବା ମାତ୍ରେ ଫସଲ ନଷ୍ଟ କରିଦେଉଛନ୍ତି ଚକଡ଼ା ପୋକ । ଶହ ଶହ ହେକ୍ଟର ଜମିରେ ମାଡ଼ି ଗଲେଣି ପୋକ । ଯାହାକୁ ନେଇ ଚିନ୍ତାରେ ଚାଷୀ ।

କେନ୍ଦୁଝର ଜିଲ୍ଲାର ଅନେକ ଅଞ୍ଚଳରେ ଚାଷୀଙ୍କ ନିଦ ହଜାଇ ଦେଇଛି ଚକଡା ପୋକ । ଚାଷ ଜମିରେ ପଡି ରହିଛି କୁଟା ପାଳ । ସମସ୍ତ ଫସଲ ନଷ୍ଟ ହେବାକୁ ବସିଲାଣି । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ ଅଞ୍ଚଳରେ ଧାନ ଚାଷରେ ଚକଡା ପୋକ ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା କୃଷି ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଛି । ଜିଲ୍ଲା କୃଷି ଅଧିକାରୀଙ୍କ ସହ ଏକ୍ସପର୍ଟ ଟିମ୍ ଘଷିପୁରାରେ ପହଞ୍ଚିଥିବା ଜଣାପଡିଛି । ଏହି ଏକ୍ସପର୍ଟ ଟିମ୍ ଚକଡା ପୋକ ଲାଗିଥିବା ବିଭିନ୍ନ ପଞ୍ଚାୟତ ବୁଲିବା ସହ କ୍ଷତିଗ୍ରସ୍ତ ଚାଷ ଜମିକୁ ଅନୁଧ୍ୟାନ କରିବେ ।
ଏହା ପରେ ପ୍ରଭାବିତ ଧାନକ୍ଷେତରୁ ପାଣି କାଟିବା, ପୋଟି କରିବା ସହ ନିର୍ଦ୍ଧିଷ୍ଟ କେତେକ କୀଟନାଶକ ସିଞ୍ଚନ ପାଇଁ ପରାମର୍ଶ କରିଛନ୍ତି । ଯାହା ଫଳରେ ଅଳ୍ପରୁ ମଧ୍ୟମ ଧରଣ ପୋକ ଲାଗିଥିବା କ୍ଷେତ ଗୁଡିକରେ ପୋକ ଦମନ ହେବା ସହ ଫସଲକୁ ରକ୍ଷା କରାଯାଇ ପାରିବ ।
ଚକଡା ପୋକ ସମ୍ପର୍କରେ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ମିହିର ରଞ୍ଜନ ସାହୁ ପ୍ରତିଦିନ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ଏହି ସମୟରେ ଚକଡା ପୋକ ପାଇଁ ପାଗ ଅନୁକୂଳ ହୋଇଥାଏ । ତେଣୁ ଚାଷୀ ମାନଙ୍କୁ ଚକଡା ପୋକ ସମ୍ପର୍କରେ ସଚେତନ କରାଯାଉଛି ଏବଂ ସରକାରଙ୍କ ପକ୍ଷରୁ 50 ପ୍ରତିଶତ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଥିବା କହିଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ।
ଅନ୍ୟପଟେ ପୋକ ଦାଉରୁ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ ପାଇଁ ଆଗାମୀ ଦିନରେ ନିର୍ଦ୍ଧିଷ୍ଟ କେତେକ ଫସଲ ପାଇଁ ସରାକାରୀ ନିୟମ ଅନୁସାରେ ବିହନ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଯିବ । ଏଥିସହ ସେହି ଫସଲ ପାଇଁ ସାର ଓ କୀଟନାଶକ ପାଇଁ ଏକର ପିଛା 4 ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନର ବ୍ୟବସ୍ଥା ରହିଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି ।
କେବଳ କେନ୍ଦୁଝର ନୁହଁ, ବାଲେଶ୍ୱର ଓ ଗଞ୍ଜାମ ପରି 4-5 ଜିଲ୍ଲାରୁ ଚକଡା ପୋକ ଖବର ଆସିଛି ବୋଲି କହିଛି କୃଷି ବିଭାଗ । କୃଷି ବିଭାଗର ସମ୍ପ୍ରସାରଣ ଟିମ ଘଟଣାସ୍ଥଳକୁ ଯାଇ ଫୋଟୋ ଉଠାଇ ଏହି ଇପେଷ୍ଟ ସର୍ଭେଲାନ୍ସ ପୋର୍ଟାଲରେ ଅପଲୋଡ଼ କରୁଛନ୍ତି । ଏହାପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ପ୍ରତିଦିନ ମନିଟରିଂ କରୁଛନ୍ତି ।












Click it and Unblock the Notifications