ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଲା ପତ୍ତା
ବ୍ରହ୍ମପୁର: ନିଖୋଜ ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଲା ପତ୍ତା । ଗତ ତିନି ଦିନ ଧରି ଥିବା କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍ର ମ୍ୟାନେଜର୍ ତପନ କୁମାର ସାହୁ ନିଖୋଜ ଥିଲେ । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାରୁ ଉଦ୍ଧାର କରାଯାଇଛି । ଗଞ୍ଜାମରେ ତପନଙ୍କ ଶ୍ୱଶୁର ଘର । ସେ ନିଜ କାର୍ଯ୍ୟାଳୟ କଟକ ବଡମ୍ବା ଆସୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ଏବେ ତିନି ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି ।
ତପନ ସାହୁଙ୍କୁ ଗଞ୍ଜାମ ଜିଲ୍ଲା ଗିରିସୋଲାରୁ ଉଦ୍ଧାର କରାଯାଇଛି। ସେ ନିଜ ମୋଟର ସାଇକେଲ ଯୋଗେ ଆନ୍ଧ୍ରପ୍ରଦେଶରୁ ଗିରିସୋଲା ଯାଉଥିବା ବେଳେ ତାଙ୍କୁ ଠାବ କରାଯାଇ ଗୋଳନ୍ଥରା ଥାନାକୁ ନିଆଯାଇଥିଲା ।

ତପନ ସାହୁ କିପରି ବଡମ୍ବାରୁ ନିଖୋଜ ହୋଇ ଗଞ୍ଜାମ ଜିଲ୍ଲାରେ ପହଞ୍ଚିଲେ ତାହା ଏବେ ବି ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ଅନୁଯାୟୀ ଗୋଳନ୍ଥରା ପୁଲିସ ତାଙ୍କୁ ନିଜ ହେପାଜତକୁ ନେଇ ତାଙ୍କ ନିଖୋଜ ସମ୍ପର୍କରେ ପଚରାଉଚରା କରିଥିଲା । ପରେ ତାଙ୍କୁ ବାଙ୍କୀସ୍ଥିତ ବୈଦେଶ୍ୱର ପୋଲିସକୁ ହସ୍ତାନ୍ତର କରାଯାଇଛି ।
ପୁଲିସ ତପନ ସାହୁଙ୍କୁ ଖୋଜିବାରେ ଅବହେଳା କରୁଥିବା ତାଙ୍କ ପତ୍ନୀ ଅଭିଯୋଗ କରିଥିଲେ । ତେବେ ମୋବାଇଲ ଟ୍ରାକିଂ ଆଧାରରେ ତପନ ସାହୁଙ୍କୁ ଉଦ୍ଧାର କରାଯାଇଥିବା ଗୋଳନ୍ଥରା ପୋଲିସ କହିଛି । ତପନ ସାହୁ କେଉଁ ପରିସ୍ଥିତିରେ ନିଖୋଜ ଓ ଉଦ୍ଧାର ହୋଇଛନ୍ତି ସେନେଇ ତଦନ୍ତ ଜାରି ରହିଛି । ତେବେ କେତେବେଳେ ଏ ନିଖୋଜ ପଛର ରହସ୍ୟ ଉପରୁ ବାଙ୍କୀ ପୁଲିସ ପରଦା ହଟାଇବ ସେହି ସମୟକୁ ସମସ୍ତେ ଚାହିଁ ବସିଛନ୍ତି ।
ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ । ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍ରେ ବାହାରିଥିଲେ । ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ । କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ । ତାଙ୍କର ମୋବାଇଲ୍ ସ୍ୱିଚ୍ ଅଫ୍ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା । ଏଣୁ ପରିବାରବର୍ଗ କଟକ ବୈଦେଶ୍ୱର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କର ମୋବାଇଲ୍ ନମ୍ବର ଟ୍ରାକ୍ କରି ତଦନ୍ତ ଆରମ୍ଭ କରିଥିଲା ।












Click it and Unblock the Notifications