ଜିଦ୍ ରୁ ଓହରିଲେ ଘରୋଇ ବସ୍ ମାଲିକ ସଂଘ, ଚାଲିବ ଘରୋଇ ବସ୍, ସ୍ଥଗିତ ରହିଲା ବସ୍ ଧର୍ମଘଟ
ଭୁବନେଶ୍ୱର: ଜିଦ୍ ରୁ ଓହରିଲେ ଘରୋଇ ବସ୍ ମାଲିକ ସଂଘ । ପୁଣି ଗଡ଼ିବ ଘରୋଇ ବସ୍ । ଧର୍ମଘଟ ସ୍ଥଗିତ ରଖିଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଏ ନେଇ ବସ୍ ମାଲିକ ସଂଘ ପକ୍ଷରୁ ପ୍ରେସ୍ ମିଟ୍ କରି ସୂଚନା ଦିଆଯାଇଛି ।
ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ଆଲୋଚନା ପରେ 31 ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ରହିଛି । ବସ୍ ମାଲିକ ସଂଘ ଏ ନେଇ ଘୋଷଣା କରିଛି । 26 ତାରିଖରେ ବସିବ ଉଚ୍ଚସ୍ତରୀୟ ବୈଠକ । ନଭେମ୍ବର 1 ରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ବସ୍ ଧର୍ମଘଟ ଯୋଗୁଁ ଯାତ୍ରୀମାନେ ଅସୁବିଧା ଭୋଗିଥିବାରୁ କ୍ଷମା ମାଗିଲା ବସ ମାଲିକ ସଂଘ ।

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଡାକରା ଦିଆଯାଇଥିଲା ଧର୍ମଘଟ । ଆଜିଠୁ ଘରୋଇ ବସ ସଂଘ ଧର୍ମଘଟ ଡାକରା ଦେଇଥିଲା । ଫଳରେ ଅନେକ ଯାତ୍ରୀ ହନ୍ତସନ୍ତ ହୋଇଥିଲେ । ଏହାପରେ ଆଜି ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ରାଜ୍ୟ ଘରୋଇ ବସ କର୍ମୀଙ୍କ ବୈଠକ ବସିଥିଲା । ଏହି ବୈଠକରେ ମଧ୍ୟ ପରିବହନ କମିଶନର ଏବଂ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ ।
ଏହା ପରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି, ଦଶହରା ବେଳେ ଲୋକ ହଇରାଣ ହୋଇଥିବାରୁ ଆମେ ଦୁଃଖିତ । ଆଶା କରୁଛୁ ରାଜ୍ୟ ସରକାର ଆଗାମୀ ଦିନରେ ହଇରାଣ କରିବେ ନାହିଁ ।
ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ କହିଥିଲେ ଯେ, ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା ସଫଳ ହୋଇଛି । ସେମାନେ ସରକାରଙ୍କୁ ସହଯୋଗ କରିବେ । 26 ତାରିଖରେ ପୁଣିଥରେ ଉଚ୍ଚସ୍ତରୀୟ ବୈଠକରେ ସଂଘର ବିଭିନ୍ନ ଦାବି ଉପରେ ବିସ୍ତୃତ ଆଲୋଚନା କରାଯିବ । ଏବେ ଦଶହରା ପୂଜାବେଳେ ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ଓହରିବା ପାଇଁ ଘରୋଇ ବସ୍ ମାଲିକ ସଂଘକୁ ସେ ଅନୁରୋଧ କରିଛନ୍ତି ।
ତେବେ ବୈଠକ ସମ୍ପର୍କରେ ସୂଚନା ଦେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଥିଲେ ଯେ, ଆଲୋଚନା ସଫଳ ହୋଇନି । ତେବେ ଆମ ଆଂଚଳିକ ସଂଘଗୁଡ଼ିକ ସହ ଆଲୋଚନା କରିବା ପରେ ଯାହା କିଛି ନିଷ୍ପତ୍ତି ନେବୁ । ଏହାପରେ ଘରୋଇ ମାଲିକ ସଂଘର କୋର କମିଟି ବୈଠକ ବସି ଧର୍ମଘଟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଏହି ଧର୍ମଘଟ ସ୍ଥଗିତ କରାଯାଇଛି । ଏ ସମ୍ପର୍କରେ ବସ୍ ମାଲିକ ସଂଘ ମଧ୍ୟ ଗଣମାଧ୍ୟମକୁ ଅବଗତ କରିଛି ।












Click it and Unblock the Notifications