ହେବନି ବସ୍ ଧର୍ମଘଟ, ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କଲା ବସ୍ ମାଲିକ ସଂଘ
ଭୁବନେଶ୍ୱର: ଆଉ ଧର୍ମଘଟକୁ ଓହ୍ଲାଇବେ ନାହିଁ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ଡିସେମ୍ବର ପହିଲାରେ ହେବାକୁ ଥିବା ବସ୍ ଧର୍ମଘଟକୁ ପ୍ରତ୍ୟାହାର କରି ନେଇଛି ରାଜ୍ୟ ବସ୍ ମାଲିକ ସଂଘ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର କରିବା ନେଇ ନିଷ୍ପତ୍ତି ହୋଇଛି ।

ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି ଯେ ପରିବହନ ମନ୍ତ୍ରୀଙ୍କ ସହ ସଂଘର ବିଭିନ୍ନ ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁଖ୍ୟତଃ ଲକ୍ଷ୍ମୀ ଯୋଜନା ଏବଂ ସହରାଞ୍ଚଳ ବାହାରେ 'ମୋ ବସ୍' ଚଳାଚଳ ନେଇ ଆଲୋଚନା ହୋଇଥିଲା । ଲକ୍ଷ୍ମୀ ବସ୍ ଚଳାଚଳ କରୁଥିବାରୁ ଘରୋଇ ବସ୍ଗୁଡ଼ିକର ଆର୍ଥିକ କ୍ଷତି ହେଉଛି ବୋଲି ସଂଘ ପକ୍ଷରୁ କୁହାଯାଇଥିଲା । ଏହାକୁ ରାଜ୍ୟ ସରକାର ଭରଣା କରନ୍ତୁ । ଏନେଇ ଖୁବ୍ଶୀଘ୍ର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସଂଘ କହିଛି ।
ସେହିପରି ମୋ ବସ୍ କେବଳ ସହରାଞ୍ଚଳରେ ଚାଲିବାକୁ ଥିବାବେଳେ ଏହା ସହରାଞ୍ଚଳ ବାହାରେ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ସଂଘ ଦାବି କରିଥିଲା । ଏନେଇ 7 ଦିନ ମଧ୍ୟରେ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ମୋ ବସ୍ ରୁଟ୍ର ସମୀକ୍ଷା ପାଇଁ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥଇଭାଥନନ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ।
ସେପଟେ ଟାୟାର ଟୁରେ ବ୍ଲକରୁ ସଦର ମହକୁମାକୁ ଲକ୍ଷ୍ମୀ ବସ ଗଡ଼ିବାକୁ ଥିବା ବେଳେ କିଛି ରୁଟକୁ ନେଇ ବସ ମାଲିକଙ୍କ ସମସ୍ୟା ରହିଛି ବୋଲି ମନ୍ତ୍ରୀ କହିଛନ୍ତି । ବସମାଲିକ ମାନେ ଲିଖିତ ଭାବେ ନିର୍ଦ୍ଦିଷ୍ଟ ରୁଟ୍ କୁ ନେଇ ସରକାରଙ୍କୁ ଜଣାଇବାକୁ ଅନୁରୋଧ କରାଯାଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରାଯିବା ପରେ ନିଷ୍ପତ୍ତି ନିଆଯିବ । ଲକ୍ଷ୍ମୀ ଯୋଜନାରେ ଟାୟାର ଓ୍ବାନ, ଟାୟାର-2, ଟାୟାର-3ରେ ବସ ଚଳାଚଳ ପାଇଁ ବ୍ୟବସ୍ଥା ହୋଇଛି ।
ବୈଠକରେ ପରିବହନ ବିଭାଗ ପ୍ରମୁଖସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର, ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର, କ୍ରୁଟ୍ର ମହାପ୍ରବନ୍ଧକ, ରାଜ୍ୟ ବସ୍ ମାଲିକ ସଂଘର ସଭାପତି ଲୋକନାଥ ପାଣି, ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।












Click it and Unblock the Notifications