କମୁଛି ଝିଅଙ୍କ ସଂଖ୍ୟା, ହଜାରେ ପୁଅରେ 925 ଝିଅ
ଭୁବନେଶ୍ୱର: କମୁଛି ଝିଅଙ୍କ ସଂଖ୍ୟା । ରାଜ୍ୟରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ 4 ବର୍ଷର ରିପୋର୍ଟରୁ ଏହା ଜଣାପଡ଼ିଛି । ଝିଅ ସଂଖ୍ୟା ହ୍ରାସରେ 6 ନମ୍ବର ସ୍ଥାନରେ ଓଡିଶା ରହିଥିବା ରିପୋର୍ଟରୁ ଜଣାପଡ଼ିଛି ।
ଗତ 4 ବର୍ଷରେ 23 ପ୍ରତିଶତ କମିଛି ଝିଅଙ୍କ ସଂଖ୍ୟା । ପ୍ରତି ଏକ ହଜାର ପୁଅରେ ଝିଅଙ୍କ ସଂଖ୍ୟା ରହିଛି 925 । ଉପାନ୍ତ ଅପେକ୍ଷା ଉପକୂଳ ଜିଲ୍ଲାରେ ସ୍ଥିତି ସଂଗୀନ ବୋଲି ରିପୋର୍ଟରେ କୁହାଯାଇଛି ।

ଏକ ହଜାର ପୁଅଙ୍କ ତୁଳନାରେ ଝିଅଙ୍କ ହାର ବିଭିନ୍ନ ଜିଲ୍ଲାରେ ଯଥା କେନ୍ଦ୍ରାପଡ଼ାରେ ସର୍ବାଧିକ 989 ରହିଛି । ସେହିପରି ନୟାଗଡ଼ରେ ଝିଅଙ୍କ ହାର 811 ରହିଛି । ଅନ୍ୟ ଜିଲ୍ଲା ଯେପରିକି ଢେଙ୍କାନାଳରେ 865, ସୋନପୁର 880, ଅନୁଗୁଳ 885, ଜଗତସିଂହପୁରରେ 897 ରହିଛି ।
ସେପଟେ ଝିଅ ସଂଖ୍ୟା ବୃଦ୍ଧି ନେଇ ସ୍ବାସ୍ଥ୍ୟ ବିଭାଗର କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳାରେ ଡାକ୍ତର, ସମାଜିକ ବିଜ୍ଞାନୀ, ସବୁ ଜିଲ୍ଲାର ଜନସ୍ଵାସ୍ଥ୍ୟ ଅଧିକାରୀ ଏବଂ ଆଇନ ବିଶେଷଜ୍ଞ ଯୋଗ ଦେଇଛନ୍ତି । ଲିଙ୍ଗ ନିରୂପଣ ପରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଏବଂ ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କର୍ମଶାଳାରେ ମତ ପ୍ରକାଶ ପାଇଛି । କିପରି ଏହି ସଂଖ୍ୟା ବୃଦ୍ଧି ପାଇବ ସେ ନେଇ ଚାଲିଛି ମାନସ ମନ୍ଥନ ।












Click it and Unblock the Notifications