ମୋବାଇଲରେ ଘୂରି ବୁଲୁଛି ମାଟ୍ରିକ୍ ପ୍ରଶ୍ନପତ୍ର, ବୋର୍ଡ କହିଲା ‘ଆମ ପାଖରେ ଖବର ନାହିଁ'
କଟକ: ରାଜ୍ୟରେ ଚାଲିଛି ମାଟ୍ରିକ୍ ପରୀକ୍ଷା । ପିଲା ପରୀକ୍ଷା ହଲ୍ ଭିତରକୁ ପଶିବା ପୂର୍ବରୁ ଲିକ୍ ହେଉଛି ପ୍ରଶ୍ନପତ୍ର । ଆଗରୁ ଇଂରାଜୀ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଖବର ଆସିଥିବା ବେଳେ ଆଜି ଗଣିତ ପ୍ରଶ୍ନପତ୍ର ଲିକ୍ ଖବର ସାମ୍ନାକୁ ଆସିଛି । ମୋବାଇଲରୁ ମୋବାଇଲ କୁ ପ୍ରଶ୍ନପତ୍ର ଘୂରି ବୁଲିବା ସହ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଭାଇରାଲ୍ ପ୍ରଶ୍ନପତ୍ରରେ ସେଟ୍- C ଓ D ଲେଖାଯାଇଛି । ଫଳରେ ଏନେଇ ଅଶଙ୍କା ଓ ଦ୍ୱନ୍ଦ ଅଧିକ ବଢ଼ିଛି ।

କେବଳ ପ୍ରଶ୍ନପତ୍ର ନୁହଁ ଏହା ସହ ଉତ୍ତର ମଧ୍ୟ ଅଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ଉପ ସଭାପତି । ସେ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହେବା ନେଇ ବୋର୍ଡ ପାଖରେ କୌଣସି ଖବର ନାହିଁ । ପ୍ରଶ୍ନପତ୍ର ଭାଇରାଲ ହୋଇଛି ବୋଲି କେହି ବୋର୍ଡ ପାଖରେ ଅଭିଯୋଗ କରିନାହାନ୍ତି ।
ସୂଚନା ଥାଉକି, ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା, ଯାହାକୁ ବୋର୍ଡ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ ।
ଏତେ କଡ଼ାକଡ଼ି ନିୟମ ସତ୍ତ୍ୱେ ପ୍ରଶ୍ନପତ୍ର କିପରି ଲିକ୍ ହେଉଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀମାନେ ଚିନ୍ତା ପ୍ରକଟ କରିଛନ୍ତି । ସେଟ୍-ସି ଏବଂ ଡି ର ଭାଇରାଲ୍ ପ୍ରଶ୍ନ ଆଜିର ପ୍ରଶ୍ନ ସହ ମେଳ ଖାଉଥିବା ପରୀକ୍ଷାର୍ଥୀମାନେ କହିଛନ୍ତି । ଏସବୁ ଆମ ମାନଙ୍କ ଉପରେ ଚାପ ପକାଉଛି , ତେଣୁ ଯେଉଁଠି ଏସବୁ ହୋଇଛି , ସେଠି କାର୍ଯ୍ୟାନୁଷ୍ଠାନ ହେଉ ।












Click it and Unblock the Notifications