ପୁରୀରେ ପହଞ୍ଚିଲା କୋରାପୁଟ କଳାଜିରା ଚାଉଳ
ପୁରୀ: ଶାବର ଶ୍ରୀକ୍ଷେତ୍ରରୁ ପୁରୀ ଜଗନ୍ନାଥ ମନ୍ଦିରକୁ ଆସିଛି କଳାଜିରା ଚାଉଳ । କୋରାପୁଟରୁ ଆସିଥିବା କଳାଜିରା ଚାଉଳ ଶୁକ୍ରବାର ଦିନ ପୁରୀରେ ଆସି ପହଞ୍ଚିଛି । ଶ୍ରୀମନ୍ଦିର ପ୍ରଶାସନର ଦାନ ପ୍ରକୋଷ୍ଠରେ ଏହାକୁ ସମର୍ପଣ କରାଯାଇଛି । ଏକ କ୍ୱିଣ୍ଟାଲ କଳାଜିରା ଚାଉଳ ସହ ନଡ଼ିଆ, କଞ୍ଚା କଦଳୀ ମଧ୍ୟ ଶ୍ରୀମନ୍ଦିର ଦାନ ପ୍ରକୋଷ୍ଠରେ ସମର୍ପଣ କରାଯାଇଛି ।

ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ ହୋଇଛି କୋରାପୁଟ ଜିଲ୍ଲାର କଲାଜିରା ଚାଉଳ । 12 ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀରେ ପହଞ୍ଚିଛନ୍ତି । ପ୍ରଗତି ଓ ଜୈବିକ ଶ୍ରୀ କମ୍ପାନୀ ଦ୍ୱାରା ଏହି ସୁଗନ୍ଧିତ ଚାଉଳକୁ ପ୍ରସ୍ତୁତ କରାଯାଇଛି ।
ଚଳିତ ବର୍ଷ କଳାଜିରା ଚାଉଳକୁ ଜିଆଇଟ୍ୟାଗର ମାନ୍ୟତା ମିଳିଛି । ସୁଗନ୍ଧିତ ଧାନରେ ପ୍ରସ୍ତୁତ ଏହି କଳାଜିରା ଚାଉଳର ବହୁତ୍ ଭଲ ବାସ୍ନା ମଧ୍ୟ ରହିଛି । ଏହି ଚାଉଳ ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିବା ବେଳେ କୋରାପୁଟର ଜୈବକ ଶ୍ରୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଏକ ହଜାର ଚାଷୀଙ୍କୁ ଚାଷ କରିବା ପାଇଁ ଏହି କଳାଜିରା ଚାଉଳର ବିହନ ଯୋଗାଇଥିଲା । ଏବେ ଏହାର ଅମଳ ଆସିବା ପରେ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏହାକୁ ଅର୍ପଣ କରାଯାଇଛି ।
ତେବେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିରେ ଏହି ଚାଉଳକୁ ବ୍ୟବହାର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କମ୍ପାନୀ ପକ୍ଷରୁ ଅନୁରୋଧ କରାଯାଇଛି । ସେପଟେ କମ୍ପାନୀ ପକ୍ଷରୁ ଆସିଥିବା 1 କ୍ୱିଣ୍ଟାଲ୍ କଳାଜିରା ଚାଉଳ, କଞ୍ଚା କଦଳୀ, ନଡ଼ିଆକୁ ଶ୍ରୀମନ୍ଦିର ପ୍ରଶାସନ ଦାନ ପ୍ରକୋଷ୍ଠରେ ରଖାଯାଇଛି । ଏନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା ପରେ ଏହି ଚାଉଳ ମହାପ୍ରସାଦ ପ୍ରସ୍ତୁତ ପାଇଁ ବ୍ୟବହାର ହେବ କି ନାହିଁ ତାହା ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପିଆରଓ କହିଛନ୍ତି ।












Click it and Unblock the Notifications