ଓଡ଼ିଶାରେ ପହଞ୍ଚିଲା କୃଷକ ମହାପଞ୍ଚାୟତ, 5 ହଜାରରୁ ଅଧିକ ଚାଷୀଙ୍କୁ କଲେ ସମ୍ବୋଧିତ କଲେ ବିକେୟୁ ନେତା ରାକେଶ
କେନ୍ଦ୍ର ସରକାରଙ୍କୁ ଏହି ତିନୋଟି ଆଇନକୁ ପ୍ରତ୍ୟାହାର କରିବା ସହ ଏମ୍ଏସପିକୁ ଆଇନ ଅନ୍ତର୍ଭୁକ୍ତ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ଆଜି ମହାପଞ୍ଚାୟତକୁ ସମ୍ବୋଧିତ କରିବା ସମୟରେ ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ୱର : ଦେଶର ଜାତୀୟ ରାଜଧାନୀର ବିଭିନ୍ନ ସୀମା ସମେତ ଦେଶର ଅନ୍ୟ ସ୍ଥାନରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷକ ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଏବେ ଓଡ଼ିଶା ମୁହାଁ ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ମାନଙ୍କୁ ଏକଜୁଟ୍ କରିବା ସହ କୃଷକ ଆନ୍ଦୋଳନକୁ ଆହୁରି ମଜବୁତ୍ କରିବା ପାଇଁ ଭାରତୀୟ କିଷାନ ୟୁନିଅନ(ବିକେୟୁ) ର ମୁଖପାତ୍ର ରାକେଶ ଟିକାୟତ୍ ଦେଶର ବିଭିନ୍ନ ସ୍ଥାନରେ କୃଷକ ମହାପଞ୍ଚାୟତ ଆୟୋଜିତ କରି ସମ୍ବୋଧିତ କରୁଥିବାର ଖବର ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ।

ଏହି ସମୟରେ ବିକେୟୁ ନେତା ରାକେଶ କୃଷକ ଆନ୍ଦୋଳନକୁ ଓଡ଼ିଶାରେ ମଜବୁତ୍ କରିବା ପାଇଁ ଏବଂ ଚାଷୀଙ୍କ ସମର୍ଥନ ନେଇ ମହାପଞ୍ଚାୟତକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ସରକାରଙ୍କୁ ଏହି ତିନୋଟି ଆଇନକୁ ପ୍ରତ୍ୟାହାର କରିବା ସହ ଏମ୍ଏସପିକୁ ଆଇନ ଅନ୍ତର୍ଭୁକ୍ତ ନକରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେ ଆଜି ମହାପଞ୍ଚାୟତକୁ ସମ୍ବୋଧିତ କରିବା ସମୟରେ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଏହି କୃଷକ ସମାବେଶ ଆୟୋଜିତ କରାଯାଇଥିଲା । ରାଜ୍ୟର 30 ଜିଲ୍ଲାର ପ୍ରାୟ 5 ହଜାରରୁ ଅଧିକ ଚାଷୀ ଏହି ସମାବେଶରେ ସାମିଲ ହୋଇଥିଲେ ।
ଗୁରୁଦ୍ୱାରରୁ ଫେରିବା ବେଳେ ରାକେଶଙ୍କୁ ଆକ୍ରମଣ
ମହା ପଞ୍ଚାୟତକୁ ସମ୍ବୋଧିତ କରି ଫେରୁଥିବା ବେଳେ ଚାଷୀ ନେତାଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁଦ୍ୱାରରୁ ଦର୍ଶନ ସାରି ଫେରୁଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ଉଦ୍ୟମ ହୋଇଛି । କଟକ ଗୁରୁଦ୍ୱାର ସମ୍ମୁଖରେ ଟିକାୟତ ଓ ତାଙ୍କ ସମର୍ଥକ ଉପରେ ଆକ୍ରମଣ ଉଦ୍ୟମ କରିଛି ଦେବ ସେନା କର୍ମୀ । ମାଲଗୋଦାମ ଥାନା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ସହ ଦେବସେନା କର୍ମୀ ଅଭିନାଶ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ କୃଷକ ନେତା ଚୌଧୁରୀ ରାକେଶ ଟିକାୟତ, ଗୁରୁନାମ ସିଂ ଚନ୍ଦୁନି ,କଂଗ୍ରେସ ବିଧାୟକ ମହମ୍ମଦ ମୁକିମ ,ବରିଷ୍ଠ ସାମ୍ବାଦିକ ରବି ଦାସ ଏହି ମହାପଞ୍ଚାୟତରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ସହ ଶେଷଦେବ ନନ୍ଦ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରାକରଙ୍କ କଳାକୃଷି ଆଇନକୁ ବିରୋଧ କରିଥିଲେ ।












Click it and Unblock the Notifications