ରାଜ୍ୟ ହେବ ବିଜେପି-ବିଜେଡ଼ି ମେଣ୍ଟ ! କେନ୍ଦ୍ର ନିଷ୍ପତ୍ତି ନେବ ବୋଲି କହିଲେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟପାଲ
ଭୁବନେଶ୍ୱର: ଆଗକୁ ଅଛି ରାଜ୍ୟ ବିଧାନସଭା ନିର୍ବାଚନ । ଏହାକୁ ନେଇ ସଜବାଜ ହେଲେଣି ରାଜନୈତିକ ଦଳ । ଏଥି ମଧ୍ୟରେ ରାଜ୍ୟରେ ବିଜେପି-ବିଜେଡ଼ି ମେଣ୍ଟ ସରକାର ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି କ୍ରମରେ ଏହି ନିଆଁରେ ଘିଅ ଢାଳିଛନ୍ତି ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ।
ଆଜି ତୋମାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ମେଣ୍ଟ ହେବ କି ନାହିଁ, ତାହା କେନ୍ଦ୍ରର ନିଷ୍ପତ୍ତି । କେନ୍ଦ୍ର ଯାହା ନିଷ୍ପତ୍ତି ନେବ ଆମେ ସେଥିରେ ସହମତ ।

ଶ୍ରୀ ତୋମାର ପ୍ରତିକ୍ରିୟା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 2 ରୁ 3 ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଆଗାମୀ ନିର୍ବାଚନରେ ବିଜେପି ସବୁ ଆସନରେ ପ୍ରାର୍ଥୀ ଦେବ । ରାଜ୍ୟରେ ବିଧାନସଭା ଓ ଲୋକସଭାରେ ବିଜେପି ବହୁମତ ପାଇବ ବୋଲି ବିଜୟପାଲ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ପ୍ରଭାରୀ ।
ସେ ଆହୁରି କହିଛନ୍ତି, ଆଜି ଓ ଆସନ୍ତାକାଲି କ୍ଲଷ୍ଟର ଦାୟିତ୍ୱରେ ଥିବା ନେତାଙ୍କ ସହ ବୈଠକ ହେବ । ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯିବ । କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଓଡ଼ିଶାରେ କିଭଳି କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ଆଲୋଚନା ହେବ ।
ରାଜ୍ୟରେ ମିଳିତ ସରକାର ହେବା ନେଇ ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିନାହାଁନ୍ତି ଶ୍ରୀ ତୋମାର । ଏ ପ୍ରସଙ୍ଗରେ କେନ୍ଦ୍ର ନିଷ୍ପତ୍ତି ନେବ ବୋଲି କହିଛନ୍ତି ସେ । ଆମେ ଲଢେଇ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ।












Click it and Unblock the Notifications