12 ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଜୀବନଯାତ୍ରା ପ୍ରଭାବିତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ବନ୍ଦ । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ଦିଆଯାଇଛି ଡାକରା । ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଏଏସ୍ଆଇ ଆଲିଶ ନାରମି ଲୁଗୁନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାସ ଓ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗୁରୁବାର ଦିନ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦେଇଛି ବିଜେପି । ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବ୍ୟାବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ବନ୍ଦ ରହିଛି ।

ବନ୍ଦ ଯୋଗୁଁ, ସମସ୍ତ ଗାଡ଼ିମଟର ଚଳାଚଳ ମଧ୍ୟ ବନ୍ଦ ରହିଛି । ସକାଳୁ ସୁନ୍ଦରଗଡ଼ ସହରରେ ବିଜେପି ମହିଳା ମୋର୍ଚ୍ଚା ଓ ଦଳର କର୍ମକର୍ତ୍ତା ପିକେଟିଂ କରି ଛୋଟ ବଡ଼ ଦୋକାନଗୁଡ଼ିକୁ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ତେବେ ବନ୍ଦ ସମୟରେ ଜରୁରୀକାଳୀନ ସେବା ଖୋଲା ରହିଛି ।
ମୃତ୍ୟୁ ଘଟଣାର ରହସ୍ୟର ଯାଞ୍ଚ କରିବାକୁ ସିବିଆଇ ତଦନ୍ତ ଦାବିକରି ଆଜି ବିଜେପି ପକ୍ଷରୁ ଏହି 12 ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଉଲ୍ଲେଖଯୋଗ୍ୟ, ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ଏଏସ ଆଇ ଆଲିଶ ନାରାମି ଲୁଗୁନଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ଉତ୍ତେଜନା ଲାଗିରହିଛି । ଦୁଇ ଆଦିବାସୀ ମହିଳା ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଆଦିବାସୀ ତାତି ଉଠିଛନ୍ତି । ସହକାରୀ ଜିଲ୍ଲାପାଳ ସୁସ୍ମିତା ଲୁଗୁନଙ୍କ ମାମଲାରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡିଓ, ସିଡିପିଓଙ୍କ ସମ୍ପୃକ୍ତି ଥିବା ତାଙ୍କ ଭାଇ ଅଭିଯୋଗ କରି ଆସୁଛନ୍ତି । କିନ୍ତୁ ଏଯାଏ ପୋଲିସ ଏତଲା ଗ୍ରହଣ କରିନାହିଁ ।
ଅନ୍ୟପଟେ ଏଏସଆଇଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉପରେ ପୋଲିସ ମାମଲା ରୁଜୁ କରି 2 ଜଣଙ୍କୁ ଗିରଫ କରି ତଦନ୍ତ ଚଲାଇଛି । ରାଉରକେଲାରେ ଏକ ବସ- କାର ଦୁର୍ଘଟଣାକୁ ନେଇ ଉପୁଜିଥିବା ଗଣ୍ଡଗୋଳ ଖବର ପାଇ ଉଦିତନଗର ଥାନାର ପୁଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି ।












Click it and Unblock the Notifications