ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି କି ବିଜେଡ଼ି ?

ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଯେପରି ବାଚସ୍ପତି ଓ ଦୁଇ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି । ଏପରିକି ଏହି ଇସ୍ତଫା ତାଲିକା ଆହୁରି ବଢିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ପଶ୍ଚିମ ଓଡ଼ିଶାରୁ ମନ୍ତ୍ରୀ ଥିବା ଦୁଇ ନେତା ପଦ ଛାଡ଼ି ପାରନ୍ତି ବୋଲି କୁହାଯାଉଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ ସମୟରେ ଥିବା ବେଳେ ହଠାତ୍ ଏପରି ଇସ୍ତଫାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ନବୀନ ଦିଲ୍ଲୀରୁ ଫେରିଲେ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିପାରନ୍ତି ଏବଂ ନୂଆ ଟିମ୍ ରେ ନୂଆ ମହିଳାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି ।
ସେହିପରି ବିଧାନସଭା ନିର୍ବାଚନକୁ ଆହୁରି ବର୍ଷେ ବାକି ଥିବା ବେଳେ ଏପରି ରାଜନୈତିକ ପରିସ୍ଥିତି ଆଗୁଆ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ବୋଲି ମତ ପ୍ରକାଶ କରିଛନ୍ତି । ଏପରିକି ବର୍ଷ ଶେଷ ଆଡ଼କୁ 5 ରାଜ୍ୟ ତଥା ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନା ସହ ଓଡ଼ିଶା ବିଧାନସଭା ନିର୍ବାଚନ କୁ ଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଏପରି ହେଲେ ରାଜ୍ୟର ମୁଖ୍ୟ ବିରୋଧୀ ବିଜେପିର କେନ୍ଦ୍ର ନେତୃତ୍ୱ ଓଡ଼ିଶା ଉପରେ ସେତେଟା ଫୋକସ୍ କରିପାରିବେ ନାହିଁ, ଯାହାକି ବିଜେଡ଼ି ପାଇଁ ସୁହାଇବ ।
ଏପରିକି ବିଧାନସଭା ନିର୍ବାଚନ ପରେ 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ବିଜେଡ଼ିକୁ ସେତେଟା ପରିଶ୍ରମ କରିବାକୁ ପଡ଼ିବନି ଏବଂ ଲୋକସଭା ନିର୍ବାଚନ ଉପରେ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଇପାରିବ ।
ଏହା ବ୍ୟତୀତ ରାଜ୍ୟରେ ବିଜେଡ଼ିର ସ୍ଥିତିକୁ ଦେଖିଲେ, ଯଦି ଆଗୁଆ ନିର୍ବାଚନ ହୁଏ ତେବେ ବିଜେପିର ଆସନ ସଂଖ୍ୟା ବଢିପାରିବ ନାହିଁ । ତେବେ ଏହି ସବୁ କଳ୍ପନାଜଳ୍ପନା ମଧ୍ୟରେ ନିର୍ବାଚନ ନେଇ କଣ ହେବ ତାହା ସମୟ ଆସିଲେ ଜଣାପଡ଼ିବ ।












Click it and Unblock the Notifications