Monsoon Session : ସଂସଦରେ ପୁଣି ମହିଳା ସଂରକ୍ଷଣ ପ୍ରସଙ୍ଗ ଦୋହରାଇଲା ବିଜେଡ଼ି
ନୂଆଦିଲ୍ଲୀ: ପୁଣି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇଲା ବିଜେଡ଼ି । ମୌସୁମୀ ଅଧିବେଶନରେ 33 ପ୍ରତିଶତ ମହିଳା ସଂରକ୍ଷଣକୁ ଦୋହରାଇଛି ଦଳ । ରାଜ୍ୟସଭାରେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର ଏ ପ୍ରସଙ୍ଗ ଉଠାଇଛନ୍ତି । ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଇଆସୁଛି ବିଜେଡି । ଏ ନେଇ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବି କରିଛନ୍ତି । 2019 ରେ ମୁଖ୍ୟମନ୍ତ୍ରୀ 33 ପ୍ରତିଶତ ଲୋକସଭା ଟିକେଟ ମହିଳାଙ୍କୁ ଦେଇ ଐତିହାସିକ ପଦକ୍ଷେପ ନେଇଥିଲେ ।

ସେହିପରି ବିଜେଡି ପ୍ରତିନିଧି ମଣ୍ଡଳ ବିଭିନ୍ନ ରାଜନୈତିକ ଦଳଙ୍କୁ ବୁଝାଇ ସମର୍ଥନ ମାଗିଥିଲେ । ବିଜେଡିର ଏହି ପଦକ୍ଷେପକୁ ଅନେକ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ତା ସତ୍ତ୍ୱେ ଏଯାଏଁ ମହିଳା ସଂରକ୍ଷଣ ବିଲ ପାସ୍ ହୋଇପାରିନି । ତେଣୁ ତୁରନ୍ତ ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟସଭାରେ ଦାବି ଦୋହରାଇଛନ୍ତି ସସ୍ମିତ । ଏହା ଦ୍ୱାରା ଦେଶକୁ ସଶକ୍ତ ମହିଳା ପ୍ରତିନିଧି ମିଳିବା ସହ 66 କୋଟି ମହିଳାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ, ପୂର୍ବରୁ ସାଂସଦ ସସ୍ମିତ ପାତ୍ର କେନ୍ଦୁପତ୍ରର ଜିଏସଟିକୁ ନେଇ ପ୍ରଶ୍ନ କରିଥିଲେ । ସଂସଦରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । କେନ୍ଦୁପତ୍ରରୁ 18 ପ୍ରତିଶତ ଜିଏସଟି ଆଦାୟ ପାଇଁ ଫିଟମେଣ୍ଟ କମିଟି ରିପୋର୍ଟ ଦେଇଛି ।
କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଓଡ଼ିଶା ବାରମ୍ବାର ଦାବି କରି ଆସୁଛି। ରାଜ୍ୟର ୧୦ଲକ୍ଷରୁ ଅଧିକ ଆଦିବାସୀଙ୍କ ସ୍ୱାର୍ଥ ପାଇଁ ଜିଏସଟି ହଟାଇବାକୁ ଦାବି କରାଯାଇଛି। ଫିଟମେଣ୍ଟ କମିଟି ରିପୋର୍ଟ ଆଧାରରେ ଜିଏସଟି ନ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ।












Click it and Unblock the Notifications