ଭୀମକୁଣ୍ଡ ହେବ ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ, ସପ୍ତାହେ ସୁଦ୍ଧା ଚମ୍ପୁଆକୁ ମିଳିବ ଖୁସି ଖବର

ଭୁବନେଶ୍ୱର : କେନ୍ଦୁଝର ଗସ୍ତରେ ଅଛନ୍ତି 5-ଟି ସଚିବ ଭି.କେ ପାଣ୍ଡିଆନ୍ । ଏହି ସମୟରେ ସେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ସର୍ବାଙ୍ଗୀନ ଉନ୍ନତି ନେଇ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ହେବ ବୋଲି କହିଛନ୍ତି 5-ଟି ସଚିବ । ପାଟଣାର ବିଭିନ୍ନ ମନ୍ଦିର ପାଇବ ନୂଆ ରୂପ । ଏନେଇ 6 ମାସରେ କାମ ଆରମ୍ଭ ହୋଇ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।
ଆଜି ସକାଳୁ କେନ୍ଦୁଝର ବିକାଶର ନକ୍ସା ଅଙ୍କିବାକୁ ପ୍ରଥମେ ପହଞ୍ଚିଥିଲେ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ । ପର୍ଯ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କର ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେବା ସହ ମିଶନ ଶକ୍ତି ମାମାନଙ୍କ ସହ ହାତ ମିଳାଇ ତାଙ୍କ ସହ ବାର୍ତ୍ତାଳାପ କଲେ । ପଞ୍ଚାୟତ ସ୍ତରରେ ଥିବା MBK ଓ CRPମାନଙ୍କ ଦରମା ବୃଦ୍ଧି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଏହା ପରେ ଚମ୍ପୁଆରେ ଥିବା ୱାଟର ଟ୍ରିଟମେଣ୍ଟ ପ୍ରକଳ୍ପ କାମର ସମୀକ୍ଷା କରିଛନ୍ତି 5T ସଚିବ । ଅଧିକାରୀ ଓ ଜଳସାଥୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଟ୍ରିଟମେଣ୍ଟ ପ୍ଲାଣ୍ଟର କଳେବର ବୃଦ୍ଧି ନେଇ ଆଲୋଚନା କରିଛନ୍ତି । ଏବେସୁଦ୍ଧା 13-14 ହଜାର ଲୋକଙ୍କ ଘରେ ପହଞ୍ଚୁଛି ପାଣି । ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ଘରେ ଘରେ ମିଳୁଛି ବିଶୁଦ୍ଧ ଜଳ । ଜଳସେଚନ ଓ ପାନୀୟ ଜଳ ନେଇ ଦାବି ଥିଲେ ଶୀଘ୍ର ପୂରଣ ହେବ । 30 ବର୍ଷ ଯାଏ ପାଣି ଅସୁବିଧା ଯେପରି ଦେଖାନଯିବ, ସେନେଇ ବ୍ୟବସ୍ଥା ହେଉଛି ।
ଚମ୍ପୁଆର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଥିବା କହିଛନ୍ତି 5T ସଚିବ । ଧର୍ମାନୁଷ୍ଠାନ ଉନ୍ନତି ପାଇଁ ଥିବା ଦାବି ଶୀଘ୍ର ପୂରଣ ହେବ । ସପ୍ତାହେ ସୁଦ୍ଧା ଅର୍ଥାତ୍ 18 ତାରିଖ ଆଗରୁ ଖୁସି ଖବର ପାଇବେ ବୋଲି ଚମ୍ପୁଆବାସୀଙ୍କୁ ପ୍ରତିଶ୍ରୁତି ଦେଲେ ଭି.କେ ପାଣ୍ଡିଆନ । ମହିଳାଙ୍କୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ମିଶନ ଶକ୍ତି ମହିଳାଙ୍କ କାମକୁ ପ୍ରଶଂସା କଲେ । ଟ୍ରାଫିକ ସମସ୍ୟା ଶୀଘ୍ର ଦୂର ହେବ । ନଭେମ୍ବର ଡିସେମ୍ବର ସୁଦ୍ଧା ଫ୍ଲାଏଓଭର କାମ ସରିବ । ବଡ଼ବିଲ ରିଙ୍ଗରୋଡ୍ କାମ ପାଇଁ 14 ଶହ କୋଟିରୁ ଅଧିକ ଖର୍ଚ୍ଚ ହେବ । ସେପଟେ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଉଥିବା ଲୋକ ଆଉ ବ୍ୟାଙ୍କ ଯିବାକୁ ପଡ଼ିବନି, ବରଂ ପଞ୍ଚାୟତସ୍ତରରେ ଭତ୍ତା ପାଇବା ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ୍ ।












Click it and Unblock the Notifications