ପାଠ ପଢୁଥିଲେ ପିଲା... ସ୍କୁଲରେ ପଶିଲା ଭାଲୁ
ନବରଙ୍ଗପୁର: ସ୍କୁଲରେ ଚାଲିଥିବା ପାଠପଢା । ଏହି ସମୟରେ ପଶି ଆସିଲେ ତିନି ଭାଲୁ । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ।
ସୂଚନା ଅନୁସାରେ, ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ମା ସହିତ ଦୁଇଟି ଛୁଆ ଭାଲୁ ସ୍କୁଲ ହତା ଭିତରକୁ ପଶିଆସିଛନ୍ତି । ସ୍କୁଲର ଦୁଇ ପାଇଖାନା ମଝିରେ ରହିଛନ୍ତି ଏହି ତିନୋଟି ଭାଲୁ ।

ସ୍କୁଲରେ ଷଷ୍ଠ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 200 ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । ଏହା ସହିତ 16 ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ସ୍କୁଲ କର୍ମଚାରୀ ମଧ୍ୟ ରହିଛନ୍ତି । ପ୍ରବଳ ବର୍ଷାରେ ଖାଦ୍ୟ ନପାଇ ଭାଲୁ ତା ଛୁଆ ସହ ଗାଁ ମୁହାଁ ହୋଇଛି । ସ୍କୁଲ ପାଚେରୀ ଡେଇଁ ଭାଲୁମାନେ ସ୍କୁଲ ପରିସରରେ ପଶିଥିବା ବେଳେ ଏହା ଦେଖି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
ଖବର ପାଇ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଛି । ଅନ୍ୟପଟେ ରାତ୍ରି ଜଗୁଆଳି ସକାଳେ 5 ଟି ଭାଲୁ ଦେଖିଥିବା ପ୍ରଧାନ ଶିକ୍ଷକ କହିଛନ୍ତି । ସକାଳେ 2ଟି ଭାଲୁ ପଳେଇଥିବା ବେଳେ ଅନ୍ୟ 3 ଭାଲୁ ସ୍କୁଲ ପରିସରରେ ରହିଛନ୍ତି । ତିନୋଟି ଭାଲୁକୁ ତୁରନ୍ତ ଜଙ୍ଗଲକୁ ସ୍ଥାନାନ୍ତର କରାଯାଉ ବୋଲି ପ୍ରଧାନଶିକ୍ଷକ ବନବିଭାଗ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି ।












Click it and Unblock the Notifications