ଇନ୍ସୁରାନ୍ସ, ପଲ୍ୟୁସନ୍, ଫିଟନେସ୍ ଅଛି ତ ? ନ ହେଲେ ଆପେ ଆପେ କଟିଯିବ ଚାଲାଣ
ଭୁବନେଶ୍ୱର: ବିନା ଇନ୍ସୁରାନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ରେ ଗାଡ଼ି ଚଲାଉଛନ୍ତି କି ? ରାଜରାସ୍ତାକୁ ଗାଡ଼ି ଧରି ବାହାରିବା ଆଗରୁ ହେଲମେଟ୍ ସହ ଏହି ସବୁ ଡକ୍ୟୁମେଣ୍ଟ ଅଛି କି ନାହିଁ ଯାଞ୍ଚ କରି ନିଅନ୍ତୁ । ନ ହେଲେ ସରକାରୀ ଯାଞ୍ଚରେ ଧରାପଡ଼ିଲେ ଗଣିବେ ତଣ୍ଡ । ଘରୁ ବାହାରିବା ଆଗରୁ ଗାଡ଼ିର ଇନ୍ସୁରାନ୍ସ, ଫିଟନେସ୍, ପଲ୍ୟୁସନ୍, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କରାଇ ନିଅନ୍ତୁ ।

ବାରମ୍ବାର ସଚେତନତା ଓ ବିଭିନ୍ନ ସମୟ ସୀମା ବୃଦ୍ଧି ସତ୍ତ୍ୱେ ରାଜ୍ୟର ଗାଡ଼ି ଚାଳକ ଓ ଅନ୍ୟ ଗାଡ଼ି ମାଲିକମାନେ ଟ୍ରାଫିକ୍ ନିୟମ ପାଳନ କ୍ଷେତ୍ରରେ ଅସାବଧାନତା ଅବଲମ୍ବନ କରୁଛନ୍ତି । ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରାୟ 25 ଲକ୍ଷ ଗାଡ଼ି ବିନା ବୈଧ ବୀମାରେ ଚାଲୁଛି । ଆହୁରି 3 ଲକ୍ଷ ଗାଡ଼ିରେ ଲାଗିନି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ପ୍ରଦୂଷଣ ସାର୍ଟିଫିକେଟ ବିନା ଫିଟନେସ୍ ସାର୍ଟିଫିକେଟରେ ଗଡ଼ି ଚାଲିଛି 7 ଲକ୍ଷ ଗାଡ଼ି । ଏହା ସରକାରୀ ଆଇନକୁ ଫୁ' କରିବା ସଦୃଶ ହୋଇଛି । ଯାହାକୁ ନେଇ ଏବେ ତତ୍ପରତା ଦେଖାଇବାକୁ ଯାଉଛି ପରିବହନ କମିଶନର ।
ମିଳିଥିବା ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ଅଗଷ୍ଟ ପହିଲାରୁ ବିଭିନ୍ନ ସ୍ଥାନରେ ଚଢାଉ କରିବ । ଟୋଲ୍ ଗେଟ୍ ଦେଇ ଯାଉଥିବା ସମସ୍ତ ଗାଡ଼ିର ତଥ୍ୟ ଏକ ପୋର୍ଟାଲରେ ମିଳିବ । ଏହାପରେ ଟୋଲ୍ ଗେଟ୍ ଦେଇ ଯିବାକ୍ଷମି ଗାଡ଼ିର କାଗଜପତ୍ର ଠିକ୍ ନ ଥିଲେ କଟିଯିବ ଚାଲାଣ । ଏ ନେଇ ସୂଚନା ଦେଇଛନ୍ତି ଯୁଗ୍ମ ପରିବହନ କମିସନର୍ ଦୀପ୍ତିରଞ୍ଜନ ପାତ୍ର ।
ପରିବହନ ବିଭାଗର ତଥ୍ୟ ଅନୁଯାୟୀ ରାଜ୍ୟରେ 63 ଲକ୍ଷ 99 ହଜାର 707 ଦୁଇ ଚକିଆ ଓ 12 ଲକ୍ଷ 10 ହଜାର 269 ପଞ୍ଜୀକୃତ ଚାରି ଚକିଆ ଯାନ ରହିଛି । ଟ୍ରକ୍, ବସ୍ ଓ ଅନ୍ୟାନ୍ୟ ଯାନବାହାନ ସଂଖ୍ୟା 4 ଲକ୍ଷ 10 ହଜାର 439 ରେ ପହଞ୍ଚିଛି । ସେଥିମଧ୍ୟରୁ 20 ଲକ୍ଷ 33 ହଜାର 570 ଟି ଦୁଇ ଚକିଆ ଓ 4 ଲକ୍ଷ 15 ହଜାର ଚାରି ଚକିଆ ଯାନର ବୀମା ପ୍ରମାଣପତ୍ର ନାହିଁ । ଏମଭି ଆକ୍ଟ 1988 ଧାରା 146 ଅନୁସାରେ ବିନା ଇନସ୍ୟୁରାନ୍ସରେ ଗାଡି ଚଳାଇଲେ 2 ହଜାର ଟଙ୍କା ଓ ଦ୍ୱିତୀୟ ଥର ଗାଡି ଚଳାଇଲେ 4 ହଜାର ଟଙ୍କା ଜରିମାନା ଦେବାକୁ ନିୟମ ରହିଛି ।












Click it and Unblock the Notifications