ବନକଲାଗି ନୀତି: ଆସନ୍ତାକାଲି ହେବ ଶ୍ରୀମୁଖ ଶୃଙ୍ଗାର, 4 ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଆସନ୍ତାକାଲି (ବୁଧବାର) ହେବ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର । କାର୍ତ୍ତିକ-କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିଲାଗି 4 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।
ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ବୁଧବାର ଅପରାହ୍ନ 5ଟାରୁ ରାତି 9ଟା ଯାଏଁ ବନ୍ଦ ରହିବ ଜଗା ଦର୍ଶନ । ରାତି 9 ଟା ପରେ ଦର୍ଶନ ମିଳିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବନକଲାଗି ନୀତି କଣ ?
ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ ।
ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା'ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।
ପ୍ରତି ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି । ଶ୍ରୀମନ୍ଦିର ସତ୍ତ୍ୱଲିପିର 45 ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ 3 ଖଣ୍ଡ ଶ୍ରୀକପଡା ଦିଅନ୍ତି । ରାଜାଙ୍କ ସୁପରିଟେଣ୍ଡେଣ୍ଟଙ୍କ ତରଫରୁ ସାମଗ୍ରୀ ଯୋଗାଇ ଦିଆଯାଏ । ହିଙ୍ଗୁଳ, ହରିତାଳ, ଶଙ୍ଖ 6 ଭରି ଲେଖାଏଁ, କେଶର ଓ କର୍ପୁର ଯୋଗାଇ ଦିଅନ୍ତି ।ମହାସ୍ନାନ ପାଇଁ ପଂଚାମୃତ ଯୋଗାଇ ଦିଆଯାଇଥାଏ । 7 ପ୍ରକାର ସେବକ ବନକଲାଗି ସେବା ସମ୍ପାଦନ କରିଥାନ୍ତି । ପାଳିଆ ଖଣ୍ଟୁଆ, ଗରାବଡୁ, 3 ଜଣ ପାଳିଆ ପୁଷ୍ପାଳକ ସେବା କରିଥାନ୍ତି ।
ଚାଙ୍ଗଡା ମେକାପ, 3 ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି । ଧୋପଖଳା ହେବା ପରେ ପାଳିଆ ଖୁଣ୍ଟିଆ 3 ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି । ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି ।
ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି । ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି । ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ ।
ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି । ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି । ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି । 3 ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି । ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ ।












Click it and Unblock the Notifications