କରମଣ୍ଡଳ ଦୁର୍ଘଟଣା : 51 ଘଣ୍ଟା ପରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ଗଡ଼ିଲା ମାଲବାହୀ ଟ୍ରେନ୍

ବାଲେଶ୍ୱର : ବାହନଗା ରେଳ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ରେଳ ଲାଇନ୍ ସଜଡ଼ା କାମ ସରିଛି । ଏହା ସହ ଓଭରହେଡ୍ ବିଦ୍ୟୁତ୍ ସରବରାହ ମଧ୍ୟ ସ୍ୱାଭାବିକ ହୋଇଛି । ଦୀର୍ଘ 51 ଘଣ୍ଟାର ପରିଶ୍ରମ ପରେ ଲାଇନ୍ ଠିକ୍ ହେବା ସହ ଟ୍ରେନ୍ ଚଳାଚଳ ପାଇଁ ପ୍ରସ୍ତୁତ ହୋଇଛି ।
ଏହା ପରେ ରାତି ପ୍ରାୟ 11 ଟା ସମୟରେ ପରୀକ୍ଷା ମୂଳକ ଭାବେ ମାଲଗାଡ଼ି ଚଳାଚଳ ଆରମ୍ଭ କରିଛି । ଏହି ରୁଟ୍ରେ ବୁଧବାର ସୁଦ୍ଧା ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ଦକ୍ଷିଣପୂର୍ବ ରେଳବାଇନ।
ଦୁର୍ଘଟଣାସ୍ଥଳରୁ କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିରହିଥିବା ବଗିଗୁଡ଼ିକୁ ଟ୍ରାକରୁ ହଟାଇ ଦିଆଯାଇଛି । ଟ୍ରେନ୍ ଚଳାଇବା ଲାଗି ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଚେନ୍ନାଇ-ହାଓଡ଼ା ଡାଉନ୍ ଟ୍ରାକ୍ର ମରାମତି କାମ ଶେଷ ହୋଇ ଯାଇଥିବାରୁ ଉକ୍ତ ଲାଇନ୍ରେ ପ୍ରଥମେ ପରୀକ୍ଷାମୂଳକ ଭାବେ (ଟ୍ରାଏଲ) ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ପ୍ରଥମେ ମାଲବାହୀ ଗାଡ଼ି ଚଳାଚଳ ଆରମ୍ଭ ହୋଇଛି ।
ବୁଧବାର ସୁଦ୍ଧା ଅନ୍ୟାନ୍ୟ ସମସ୍ତ ଟ୍ରାକ୍ କାମ ଶେଷ ହୋଇ ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି କହିଛନ୍ତି ରେଳମନ୍ତ୍ରୀ । ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ 4 ଟି ଯାକ ଟ୍ରାକ୍ ପ୍ରଭାବିତ ହୋଇଛି । ଅପ୍ ଲାଇନ୍ (ହାଓଡ଼ା-ଚେନ୍ନାଇ) ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ନଷ୍ଟ ହୋଇଛି । ଏହାର ମରାମତି ଲାଗି 2 ହଜାର ସ୍ଲିପର୍ ସହ ଗୋଟିଏ କିଲୋମିଟର ରେଳ ଟ୍ରାକ୍ ବିଛାଯାଇଛି । ବହୁ ପରିମାଣର ବାଲାଷ୍ଟ (ଟ୍ରାକ୍ରେ ପଡ଼ିଥିବା ମେଟାଲ୍) ନଷ୍ଟ ହୋଇଛି । ତାହାକୁ ଭରଣା କରିବା ଏବେ କଷ୍ଟକର ହୋଇପଡ଼ିଛି । ତେଣୁ ଏହି ଲାଇନ୍ ମରାମତି ଶେଷ ହେବାକୁ ଆହୁରି 24 ଘଣ୍ଟା ଲାଗିଯିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଡାଉନ୍ ଲାଇନ୍ ବିଶେଷ ପ୍ରଭାବିତ ହୋଇ ନ ଥିବାରୁ ଏହାର ମରାମତି ଶୀଘ୍ର ହୋଇଥିଲା ।












Click it and Unblock the Notifications