ବାହାନଗା ଟ୍ରେନ୍ ଟ୍ରାଜେଡ଼ି : ସରିଲା ସିବିଆଇ ରିମାଣ୍ଡ, ବିଚାର ବିଭାଗୀୟ ହାଜତକୁ ଗଲେ ତିନି ଅଭିଯୁକ୍ତ
ଭୁବନେଶ୍ୱର : ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଗିରଫ ତିନି ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ ଅବଧି । ଏହା ପରେ 14 ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଗିରଫ ତିନି ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେବନି ସିବିଆଇ ।

ଅପରପକ୍ଷରେ ସିନିୟର୍ ସେକ୍ସନ ଇଞ୍ଜିନିୟର ପକ୍ଷରୁ ଜାମିନ ଆବେଦନ ଶୁଣାଣି ଉପରେ ଅଧିକ ସମୟ ମାଗିଛନ୍ତି ତାଙ୍କ ଓକିଲ ।
ଏହା ପୂର୍ବରୁ ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ 9 ଦିନ ରିମାଣ୍ଡରେ ନେଇ ତିନି ଅଭିଯୁକ୍ତଙ୍କୁ ପଚରା ଉଚରା କରିଛି । ବାହାନଗା ଟ୍ରେନ୍ ଦୁର୍ଘଟଣା ପାଇଁ କିଏ ଦାୟୀ, କେଉଁ କାରଣ ପାଇଁ ଏହି ଭୟଙ୍କର ଦୁର୍ଘଟଣା ଘଟିଛି ? ଏହା ପଛରେ କିଛି ଷଡ଼ଯନ୍ତ୍ର ଅଛି କି ସେ ନେଇ ତିନି ଅଭିଯୁକ୍ତଙ୍କୁ ଠାରୁ ସତ ଜାଣିବାକୁ ପ୍ରଶ୍ନ କରିଛି ସିବିଆଇ । କାର୍ଯ୍ୟରେ ଅବହେଳା କାରଣରୁ ଦୁର୍ଘଟଣା ଓ ପ୍ରମାଣ ନଷ୍ଟ ପଛରେ ଆଉ କାହାରି ହାତ ରହିଛି କି ସେ ସମସ୍ତ ଦିଗକୁ ନେଇ ଜେରା କରିଛି ସିବିଆଇ ।
ଏ ପର୍ଯ୍ୟନ୍ତ 6ଜଣକୁ ସମନ କରାଯାଇଥିବାବେଳେ ଅନେକଙ୍କୁ ସିବିଆଇ ଜେରା କରିଥିବା ଜଣାପଡ଼ିଛି । ଚିଫ୍ ଅଫ୍ ରେଲୱେ ସିକ୍ୟୁରିଟିଙ୍କ ତଦନ୍ତ ରିପୋର୍ଟ ଆଧାରରେ 7 ଜଣଙ୍କୁ ନିଲମ୍ବିତ କରାଯାଇଛି । ତା ଭିତରୁ ତିନି ଜଣ ଗିରଫ ହୋଇସାରିଥିବାବେଳେ, ଷ୍ଟେସନ ମାଷ୍ଟର, ସମେତ ଆସିଷ୍ଟାଣ୍ଟ ଷ୍ଟେସନ୍ ମାଷ୍ଟର, ଟ୍ରାଫିକ୍ ଇନସପେକ୍ଟର ଓ ମେଣ୍ଟେନର୍ ସିବିଆଇ ସ୍କାନରରେ ରହିଛନ୍ତି । ସିବିଆଇ କୋର୍ଟରେ 27 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।












Click it and Unblock the Notifications