ଆଜିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ, ସାଲୁଗା ପ୍ରଧାନ ହେବେ ଉପ ବାଚସ୍ପତି
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଆଜି ଦିନ 112 ଟା ବେଳେ ଗୃହକାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିବେ ।
ଆଜି ପଞ୍ଚାୟତିରାଜ, ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ମଧ୍ୟ ପଚାରିପାରିବେ । ଡିସେମ୍ବର 30ତାରିଖ ଯାଏଁ ଚାଲିବାକୁ ଥିବା ଅଧିବେଶନରେ ମୋଟ୍ 30 ଟି କାର୍ଯ୍ୟଦିବସ ରହିଛି ।

ଏହା ପୂର୍ବରୁ ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ହେବେ ଉପବାଚସ୍ପତି । ବିଜେଡି ଶ୍ରୀ ପ୍ରଧାନଙ୍କ ନାମ ଘୋଷଣା କରିବା ପରେ ସେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ମଙ୍ଗଳବାର ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଅଛି । ଆଜି ପୂର୍ବାହ୍ନ 9.30 ରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହରେ ଆନୁଷ୍ଠାନିକ ଭାବେ ଉପବାଚସ୍ପତିଙ୍କ ନାମ ଘୋଷଣା କରିବେ ।
ତେବେ ଶୀତକାଳୀନ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି କରିଛନ୍ତି ବିରୋଧୀ । ଆଦିବାସୀ ଜମି ହଡପ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଓ ଚାରିଦ୍ବାର ଖୋଲିବା, ମଣ୍ଡି ଅବ୍ୟବସ୍ଥା, ଚାଷୀ ଆତ୍ମହତ୍ୟା, ଆବାସ ଆବଣ୍ଟନରେ ଅନିୟମିତତା ପରି ପ୍ରସଙ୍ଗ ଉଠାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ଆରପଟେ ଆଞ୍ଚଳିକ ବୈଷମ୍ୟବାଦ, ପଶ୍ଚିମ ଓଡିଶା ପ୍ରତି ଅବହେଳା, ମଣ୍ଡି ସମସ୍ୟା, ଆଇନ ଶୃଙ୍ଖଳା, ଦୁର୍ନୀତି, ସୀମା ବିବାଦ,ଦାଦନ, ବେକାରୀ ଭଳି ପ୍ରସଙ୍ଗ ଗୃହରେ ଉଠାଇବ ବୋଲି କହିଛି କଂଗ୍ରେସ । ବିଧାନସଭାରେ କୋଶଳି ଭାଷାରେ କହିବାକୁ ସୁଯୋଗ ମିଳୁ ବୋଲି ଆଜି ସର୍ବଦଳୀୟ ବୈଠକରେ ଦାବି କରିଥିଲେ କଂଗ୍ରେସର ନରସିଂହ ମିଶ୍ର । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ।
ଶୀତ ଅଧିବେଶନ ପାଇଁ ବିଧାନସଭା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଡିଜିପି ସୁନୀଲ ବଂଶଲ । ସୁରକ୍ଷାରେ ନିୟୋଜିତ ହେବେ 28 ପ୍ଲାଟୁନ ପୋଲିସ । ଡ୍ରୋନ ମଧ୍ୟ ବ୍ୟବହାର କରାଯାଇପାରେ ।












Click it and Unblock the Notifications