ଆଜି ଠାରୁ ‘ମୋ ଘର' ଆବେଦନ ଆରମ୍ଭ, ଜାଣନ୍ତୁ କିପରି ଏବଂ କିଏ କରିପାରିବେ ଆବେଦନ
ଭୁବନେଶ୍ୱର : ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଘର ତୋଳିବାକୁ ଋଣ ଦେବା ନେଇ ରାଜ୍ୟ ସରକାରଙ୍କ ଯୋଜନା ମୋ ଘର' ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । rhodisha. gov. in/ moghara ୱେବସାଇଟ ମାଧ୍ୟମରେ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ । ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ମଧ୍ୟ ରହିଛି ।
ଆବେଦନ କରିବା ଲାଗି ଆବେଦନକାରୀଙ୍କ ନିଜ ନାମରେ ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ, ଯେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ।
ତେବେ କଣ ଏହି 'ମୋ ଘର' ଯୋଜନା ? କେଉଁମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ? ଏହି ଯୋଜନାରେ କେତେ ଟଙ୍କା ଦେବେ ସରକାର ? କେମିତି କରିବେ ଆବେଦନ ? ଆସନ୍ତୁ ଜାଣିବା ପୁରା ତଥ୍ୟ...

'ମୋ ଘର' ଯୋଜନା କଣ ?:
'ମୋ ଘର' ହେଉଛି ରାଜ୍ୟ ସରକାରଙ୍କ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା । ଏହି ନୂଆ ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ଏବଂ ଭଙ୍ଗାଘରକୁ ସଜାଡିବା ପାଇଁ ସହାୟତା ପ୍ରଦାନ କରିବେ । 'ମୋ ଘର' ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇ ଦେବେ ରାଜ୍ୟ ସରକାର ।
କେଉଁମାନେ ଲାଭ ଉଠାଇବେ ?:
ନିମ୍ନ ପରିବାରର ଯେଉଁ ହିତାଧୀକାରୀ କୌଣସି ସରକାରୀ ଯୋଜନାରେ ଘର ପାଇ ନଥିବେ ସେମାନେ ଏହି ଯୋଜନାର ଲାଭ ପାଇ ପାରିବେ ।
କାହାକୁ ମିଳିବ 'ମୋ ଘର' ?
• ଯଦି ଗୋଟେ ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କଠୋରୀ ବିଶିଷ୍ଟ ଛାତ ଘରେ ବସବାସ କରୁଥିବେ ।
• ଯଦି ପରିବାର ପୂର୍ବରୁ ସରକାରଙ୍କ ଠାରୁ ଗୃହ ନିର୍ମାଣ ଯୋଜନାରେ କୌଣସି ସହାୟତା ପାଇ ନଥିବେ କିମ୍ବା ୭୦ ହଜାର ଟଙ୍କାରୁ କମ ସହାୟତା ପାଇଥିବେ ।
• ଯଦି ପରିବାରର ମାସିକ ରୋଜଗାର ୨୫ ହଜାରରୁ କମ ଥିବ ।
• ଯଦି ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ଚାରିଚକିଆ ଯାନ ନଥିବ ।
• ଯଦି ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ନିୟମିତ କର୍ମଚାରୀ ଓ ପେନସନଭୋଗୀ ହୋଇ ନଥିବେ ।
• ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ।
କେତେ ଟଙ୍କା ଦେବେ ସରକାର ?
• ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ବ୍ୟାଙ୍କଋଣ ପାଇପାରିବେ ।
• ଦଶ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବାର ସୁବିଧା ରହିଛି ।
• ୧ ଲକ୍ଷ ଋଣ କଲେ ସାଧାରଣ ବର୍ଗଙ୍କୁ ୩୦, ST/SCଙ୍କୁ ୪୦ ହଜାର ସବସିଡି ମିଳିବ ।
• ଜଣେ ହିତାଧିକାରୀ ଅତି କମରେ ୧ ଲକ୍ଷ, ଦେଢ ଲକ୍ଷ, ୨ଲକ୍ଷ ଏବଂ ୩ଲକ୍ଷ ଟଙ୍କା ଋଣ ପାଇ ପାରିବେ ।
• ଦେଢ଼ ଲକ୍ଷରେ ୪୫ ଓ ୫୫ ହଜାର, ୨ ଓ ୩ ଲକ୍ଷରେ ୬୦ ଓ ୭୦ ହଜାର ସବସିଡି ପାଇବେ ।
• ପ୍ରଥମ ବର୍ଷକୁ ବାଦ୍ ଦେଇ ବାକି ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ ।
• ବ୍ୟାଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଋଣ ମଞ୍ଜୁର ପାଇଁ କୌଣସି ପ୍ରକ୍ରିୟାକରଣ ଦେୟ ଆଦାୟ କରାଯିବ ନାହିଁ ।
• ଋଣ ଆବେଦନ ନିମନ୍ତେ ଆଇନ ପରାମର୍ଶଦାତାଙ୍କ ଦେୟ ବାବଦକୁ ୧ ହଜାର ଟଙ୍କା ସରକାର ବହନ କରିବେ ।
• ଏହି ଯୋଜନାରେ ପୂର୍ବରୁ ପାଇନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯିବ ।
• ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷରେ ୨୧୫୦ କୋଟି ଟଙ୍କାର ବ୍ୟୟବରାଦ ରହିଛି ।
କେମିତି କରିବେ ଆବେଦନ ?
• ଋଣ ପାଇବାକୁ ସ୍ୱତନ୍ତ୍ର ୱେବସାଇଟରେ ଆବେଦନ ଆରମ୍ଭ ହେବ ।
• https://rhodisha.sov.inlmoghara/ ଲିଙ୍କରେ କ୍ଲିକ୍ କରି ଆବେଦନ କରିପାରିବେ ।
• ଜୁନ୍ ୧୬ରୁ ଆବେଦନ ଆରମ୍ଭ ହେବ ।
• ଆବେଦନ ବେଳେ ପାସପୋର୍ଟ ସାଇଜର ଫଟୋ, ଆଧାର କାର୍ଡ, କେୱାଇସି ଡକ୍ୟୁମେଣ୍ଟ, ଜମି ରେକର୍ଡ, ଜାତି ପ୍ରମାଣପତ୍ର, ଭିନ୍ନକ୍ଷମ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଆବଶ୍ୟକ ।
• ଗୃହ ନିର୍ମାଣର ସ୍ତର ଅନୁସାରେ ଋଣ ରାଶି ୨/୩ ପର୍ଯ୍ୟାୟରେ ପ୍ରଦାନ କରାଯିବ
• ହିତାଧିକାରୀ ଇଚ୍ଛା କଲେ ୧୦ ବର୍ଷ ପୂର୍ବରୁ ଋଣ ପରିଶୋଧ କରିପାରିବେ ।












Click it and Unblock the Notifications