ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି
ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି। ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁ ଗର୍ଗ ବର୍ତ୍ତମାନ ଉନ୍ନୟନ କମିଶନର ମୁଖ୍ୟ ସଚିବ ଅଛନ୍ତି। ଉଲ୍ଲେଖନୀୟ ଅନୁ ଗର୍ଗ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବାକୁ ଯାଉଛନ୍ତି। ଅନୁ ଗର୍ଗଙ୍କୁ ମୁଖ୍ୟ ଶାସନ ସଚିବ କରି ମହିଳା କାର୍ଡ ଖେଳିଛନ୍ତି ମୋହନ ମାଝୀଙ୍କ ସରକାର

ଅନୁ ଗର୍ଗ ହେଉଛନ୍ତି ୧୯୯୧ ବ୍ୟାଚର ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ । ସେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୧୯୬୯ ମାର୍ଚ୍ଚ ୧ରେ ଜନ୍ମ ଗ୍ରହଣ କରିଥିଲେ । ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ସମାଜ ଶାସ୍ତ୍ରରେ ଏମ୍.ଏ. ଏବଂ ଜନ୍ସ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲଥରୁ ମାଷ୍ଟର ଅଫ୍ ପବ୍ଲିକ୍ରୁ ଶିକ୍ଷା ଲାଭ କରିଛନ୍ତି । ବର୍ତ୍ତମାନ ଅନୁ ଗର୍ଗ ରାଜ୍ୟର ଉନ୍ନୟନ କମିଶନର, ତଥା ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି । ଅନୁ ଗର୍ଗ ବିଭିନ୍ନ ସମୟରେ ଅବସ୍ଥାପିତ ଥିବା ପଦ ପଦବୀରେ ଦକ୍ଷତାର ସହିତ କାର୍ଯ୍ୟ କରିଛନ୍ତି । ସ୍ଵାସ୍ଥ୍ୟ,ମହିଳା ଓ ଶିଶୁ ବିକାଶ, ଜଳ ସମ୍ପଦ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗର ମୁଖ୍ୟ ଭାବେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ।
ଉଲ୍ଲେଖନୀୟ ଅନୁଙ୍କ ସ୍ଵାମୀ ସୌରଭ ଗର୍ଗ ଏବେ କେନ୍ଦ୍ରରେ ଡେପୁଟେସନରେ ଅଛନ୍ତି । ଅନୁ ଗର୍ଗଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ସମୟର ଅନୁଭୂତି ରହିଛି । ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ବୟନଶିଳ୍ପ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ଉତ୍କର୍ଷତା ପାଇଁ ଜନ୍ ସି. ହ୍ୟୁମ୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଅନୁ ଗର୍ଗ ।
ଅନୁ ଗର୍ଗଙ୍କ ନାମରେ ମୋହର ବାଜିବା ସହ ସେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି। ସାମାଜିକ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ଏବଂ ନେତୃତ୍ୱକୁ ଦୃଷ୍ଟିରେ ରଖି ଅନୁ ଗର୍ଗ ଓଡ଼ିଶାରେ ମୁଖ୍ୟ ସଚିବ ପଦବୀ ଦୌଡ଼ରେ ପ୍ରବଳ ଦାବିଦାର ଥିଲେ। ସବୁଠୁ ବଡ଼ କଥା ହେଉଛି ରାଜ୍ୟ ସରକାର ଏଥର ମହିଳା କାର୍ଡ ଖେଳିଛନ୍ତି।












Click it and Unblock the Notifications