ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ଭିଜିବ ଓଡ଼ିଶା
ଭୁବନେଶ୍ୱର: ଅକ୍ଟୋବରରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଲଘୁଚାପ । ମାସ ଶେଷ ଆଡ଼କୁ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ଓଡ଼ିଶଆର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
29 ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ 48 ଘଣ୍ଟାରେ ଉତ୍ତର ଆଣ୍ଡାମାନସାଗର ପାର୍ଶ୍ଵବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି । ଫଳରେ ଅକ୍ଟୋବର ପହିଲାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି । ଏହା ଘନୀଭୂତ ହୋଇ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଦେଖିବାକୁ ମିଳିବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି ।
ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଗତକାଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏ ନେଇ ପ୍ରତିକ୍ରିୟା ରଖିଥିଲେ । IMD ଡିଜି ସୂଚନା ଦେଇଛନ୍ତି ଯେ, ବାତ୍ୟା ନେଇ ଏବେ କୌଣସି ସୂଚନା ନାହିଁ । ବଙ୍ଗୋପସାଗରରେ ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ । ଲଘୁଚାପ ପରେ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । କିନ୍ତୁ ଏହାପରେ ବାତ୍ୟା ହେବା ନେଇ ଏଯାଏ କୌଣସି ସୂଚନା ହସ୍ତଗତ ହୋଇନି । ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା IMD ଜାରି କରି ନାହିଁ ।












Click it and Unblock the Notifications