Get Updates
Get notified of breaking news, exclusive insights, and must-see stories!

ନବୀନ ଓଡିଶାରେ ଗାଁ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ କରି ସଶକ୍ତ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା 'ଆମ ଓଡିଶା ନବୀନ ଓଡିଶା' । ପ୍ରତି ପଞ୍ଚାୟତ, ପ୍ରତି ଗାଁର ବିକାଶ ରହିଛି ଏହି କାର୍ଯ୍ୟକ୍ରମର ଫୋକସ୍ । କାର୍ଯ୍ୟକ୍ରମର ନବମ ଦିନରେ ଆଜି ଆଉ ଦୁଇ ଜିଲ୍ଲାକୁ ଏହି ଯୋଜନାରେ ସାମିଲ କରାଯାଇଛି । କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।

ama odisha nabin odisha

ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ଶୁଭାରମ୍ଭ କରିଛନ୍ତି । କଳାହାଣ୍ଡି ଜିଲ୍ଲାର 5 ଟି ନିର୍ବାଚନମଣ୍ଡଳୀକୁ ମିଳିଛି 155 କୋଟି ଟଙ୍କା । ଜୁନାଗଡ, ଲାଞ୍ଜିଗଡ, ନର୍‌ଲା, ଧର୍ମଗଡ, ଭବାନୀପାଟଣା ନିର୍ବାଚନମଣ୍ଡଳୀର 13 ଟି ବ୍ଲକ୍‌‌ 310 ଟି ଗ୍ରାମ ପଞ୍ଚାୟତରେ 4678 ଟି ପ୍ରକଳ୍ପ ହେବ ।

ସେହିପରି ନବରଙ୍ଗପୁର ଜିଲ୍ଲାର 4ଟି ନିର୍ବାଚନମଣ୍ଡଳୀ ପାଇଁ 94.50 କୋଟି ଟଙ୍କା ମଞ୍ଜୁର ହୋଇଛି । ଡାବୁଗାଁ, ନବରଙ୍ଗପୁର, ଉମରକୋଟ, ଝରିଗାଁ ନିର୍ବାଚନମଣ୍ଡଳୀର 10 ଟି ବ୍ଲକ୍‌ର 189 ଗ୍ରାମପଞ୍ଚାୟତରେ 2942 ଟି ପ୍ରକଳ୍ପ କରାଯିବ ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମରେ ଗାଁଗୁଡିକ ହେବ ରୂପାନ୍ତରର ପ୍ରକୃତ କେନ୍ଦ୍ର। ଗାଁର ଲୋକମାନେ ହିଁ ନୂଆ ଓଡିଶାର ପରିଚୟ ସୃଷ୍ଟି କରିବେ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା'ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା'ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି 5ମ ପାଳି । ଏହି ପାଳିରେ ମୁଖ୍ୟମନ୍ତ୍ରୀ ଓଡିଶାରେ ରୂପାନ୍ତରର ଯୁଗ ଆରମ୍ଭ କରିବା ସହିତ ମା' ମାନଙ୍କୁ 5 ଟି ସୁନ୍ଦର ଉପହାର ଦେଉଛନ୍ତି ।

ସେଗୁଡ଼ିକ ହେଲା

  • 5 ଟଙ୍କାରେ ଆହାର
  • ମମତା ଯୋଜନାରେ ଗର୍ଭବତୀ ମା' ମାନଙ୍କୁ 5 ହଜାର ଟଙ୍କା ସହାୟତା
  • ଲକ୍ଷ୍ମୀ ବସ୍‌ ଯୋଜନାରେ ମା' ମାନଙ୍କୁ 5 ଟଙ୍କାରେ ପାଇଁ ବସରେ ଯିବାଆସିବାର ସୁବିଧା
  • ମିଶନ ଶକ୍ତିରେ ମା' ମାନଙ୍କୁ ବିନା ସୁଧରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
  • ତା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବା ବେଳେ ମା' ମାନଙ୍କ ପାଇଁ ଆଉ ଅଧିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ନିର୍ବାଚନ ମଣ୍ଡଳୀରେ 4 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 33 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ କଲମପୁର ଓ ଜୁନାଗଡ ବ୍ଲକରେ ହାତୀ ନଦୀର ବାମ ପାର୍ଶ୍ୱ ବନ୍ଧର ସୁଦୃଢିକରଣ ପାଇଁ 29 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ଜୁନାଗଡ ମା' ଲଙ୍କେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଗୋଟିଏ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୂପାନ୍ତର ସାମିଲ ।

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ 17 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 60.26 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପ୍ରସିଦ୍ଧ ମା' ମାଣିକେଶ୍ୱରୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 1 କୋଟି 74 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ନିକଟରେ କଳାହାଣ୍ଡି ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା' ମାଣିକେଶ୍ୱରୀଙ୍କ ନାମରେ ନାମିତ କରିଛନ୍ତି । ଥୁଆମୂଳ-ରାମପୁର ଜଗନ୍ନାଥ ମନ୍ଦିର, ପିପଳନଳାଠାରେ ପର୍ଯ୍ୟଟନ ବିକାଶ, ରାବଣଧାରା ଜଳପ୍ରପାତ ପର୍ଯ୍ୟଟନ ବିକାଶ ଆଦି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଭଟଙ୍ଗପଦର ଓ କାଚଲେଖାଠାରେ 120 ଆସନ ବିଶିଷ୍ଟ 3 ଟି ହଷ୍ଟେଲ ନିର୍ମାଣ କରାଯିବ । ଏଥିପାଇଁ 9 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଇନ୍ଦ୍ରାବତୀ ଜଲଭଣ୍ଡାର ବିଚ୍ଛିନ୍ନାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ମଧ୍ୟ 1.50 କୋଟି ଟଙ୍କା ମଞ୍ଜୁର ହୋଇଛି। ନର୍‌ଲା ନିର୍ବାଚନ ମଣ୍ଡଳୀରେ 6 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 12.46 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ବେଲଖଣ୍ଡି ମନ୍ଦିରର ଉନ୍ନତିକରଣ ସହିତ ତୁଳାପଡାଠାରେ ଏକ ST Girls Hostel ରହିଛି ।

ଏହା ସହିତ ଉତେଇ ମୁଖ୍ୟ କେନାଲର Service Roadର ଉନ୍ନତିକରଣ ଏବଂ ରିଷିଡା ଦିଷ୍ଟି UIPର Service Roadର ଉନ୍ନତିକରଣ ପାଇଁ 5.31 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଧର୍ମଗଡ ନିର୍ବାଚନ ମଣ୍ଡଳୀରେ 18 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 10.48 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଆମପାଣି ବୁଢାରାଜା ମନ୍ଦିର, ଧର୍ମଗଡ ମା' ଭଣ୍ଡାରଘରଣୀ ମନ୍ଦିର ଓ କରକ ଜଳପ୍ରପାତ ପର୍ଯ୍ୟଟନ ପ୍ରକଳ୍ପ ସାମିଲ । ଧର୍ମଗଡ ଯଶୋଦା ଆଶ୍ରମ ହଷ୍ଟେଲ ପାଇଁ 3.21 କୋଟି ଟଙ୍କା, Town Hall ପାଇଁ 2.77 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସହିତ ଅନେକ ସ୍କୁଲ ଓ କଲେଜ ମଧ୍ୟ ରହିଛି । ଭବାନିପାଟଣା ନିର୍ବାଚନ ମଣ୍ଡଳୀରେ 6ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 20.48 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ 1.25 କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହା ଡିସେମ୍ବର ସୁଦ୍ଧା ସରିବ ଏବଂ ମା' ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ଉଚ୍ଚ ଶିକ୍ଷା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ ।

ସେହିପରି ଭବାନିପାଟଣା ମହିଳା କଲେଜ କାମ ମଧ୍ୟ ଡିସେମ୍ବର ସୁଦ୍ଧା ସରିବ । ଭବାନିପାଟଣା ଆଶାସାଗର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ ପାଇଁ 6.39 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ କାର୍ଲାପଡାରେ 120 ଆସନ ବିଶିଷ୍ଟ ST Girls Hostel ପାଇଁ 3 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ପରି କଳାହାଣ୍ଡି ଜିଲ୍ଲାର 5ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ 41 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 136.68 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ନିର୍ବାଚନ ମଣ୍ଡଳୀରେ 10ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 27.92 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଗୁଚ୍ଛାଗୁଡାଦେଇ ଏକୋରି ପର୍ଯ୍ୟନ୍ତ ରାସ୍ତା ଉପରେ ସେତୁ କରିବା ପାଇଁ 8.58 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର 3 ହଜାର 500 ଲୋକ ଉପକାର ପାଇବେ । ସେହିପରି ନୂଆଗୁଡାଠାରେ ଏକ ସେତୁ ପାଇଁ 5.54 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର 4318 ଲୋକ ଉପକାର ପାଇବେ । ପାପଡାହାଣ୍ଡି- ଉମରକୋଟ ରାସ୍ତା ତୁରିନାଳ ଉପରେ ସେତୁ ପାଇଁ 7.14 କୋଟି ଟଙ୍କା, 5 ଲକ୍ଷ ଲୋକ ଉପକାର ପାଇବେ । ଏହା ସହିତ ଅନେକ ସେତୁ, ସଡକ ଓ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର କରାଯାଇଛି ।

ଝରିଗାଁ ନିର୍ବାଚନ ମଣ୍ଡଳୀରେ 8 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 111.68 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଚନ୍ଦାହାଣ୍ଡିରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ 61.45 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା 11 ହଜାର ଚାଷୀ ଉପକାର ପାଇବେ । ସେହିପରି ଝରିଗାଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ 40.67 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାରା 5 ହଜାର ଚାଷୀ ଉପକାର ପାଇବେ । ଚନ୍ଦନଧାରା ଓ ଭୈରଘୁମର ଜଳପ୍ରପାତରେ 2ଟି ପର୍ଯ୍ୟଟନ ପ୍ରକଳ୍ପ ହେବ, ଏଥିରେ ପ୍ରାୟ 80 ହଜାର ଲୋକ ଉପକୃତ ହେବେ । ଭାସ୍କେଲ ନଦୀ ଉପରେ ବନ୍ୟା ନିୟନ୍ତ୍ରଣ ପ୍ରକଳ୍ପ କରାଯିବ, ଏହା ଦ୍ୱାରା 50 ହଜାର ଲୋକ ଉପକାର ପାଇବେ । ସେହିପରି ମା' ବିଦ୍ରୀ ମନ୍ଦିରର ଉନ୍ନତିକରଣ ଓ ଅନେକ ସ୍କୁଲ କଲେଜ ରହିଛି ।
ଉମରକୋଟ ନିର୍ବାଚନ ମଣ୍ଡଳୀରେ 9 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 16 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଭାକେଲ ଡ୍ୟାମ ଉପରେ ପର୍ଯ୍ୟଟନ ପ୍ରକଳ୍ପ ପାଇଁ 5.67 କୋଟି, ପୋଡାଗଡ ପ୍ରସିଦ୍ଧ ଶୈବ ପୀଠ ଓ ଐତିହାସିକ କ୍ଷେତ୍ରରେ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ 3 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହି 2 ଟି ପ୍ରକଳ୍ପ ଦ୍ୱାର 1 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ସେହିପରି ନାୟକଗୁଡାରୁ ପିତିସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ 4 କୋଟି ଟଙ୍କା, ଭାସ୍କେଲ ଡ୍ୟାମର ତଳପଟେ ପିଲାଙ୍କ ପାର୍କ ପାଇଁ 1.50 କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ସେହିପରି ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ 7ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 13.11 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ନବରଙ୍ଗପୁର ପୌରାଞ୍ଚଳରେ 4 ଟି ବହୁମୂଖୀ କମ୍ୟୁନିଟି ହଲ୍‌ ପାଇଁ 3.83 କୋଟି, ମାଙ୍ଗରାଡୋରା ଜଳପ୍ରପାତ ପର୍ଯ୍ୟଟନ ଭିତ୍ତି ପାଇଁ 3.20 କୋଟି, ମାଣ୍ଡାଡୋଗରି ଶୈବକ୍ଷେତ୍ର ଉନ୍ନତି ପାଇଁ 2.20 କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏ ସବୁ ପ୍ରକଳ୍ପ ଦ୍ୱରା 2 ଲକ୍ଷରୁ ଅଧିକ ଲୋକ ଉପକାରା ପାଇବେ । ନବରଙ୍ଗପୁର କଲେଜ ଓ ମଡେଲ ଡିଗ୍ରୀ କଲେଜ ଉନ୍ନତିକରଣ ସହିତ ମା' ଭଣ୍ଡାରଘରଣୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ମଧ୍ୟ ନିଆଯାଇଛି । ନବରଙ୍ଗପୁରର ଲାଖ କାରିଗରଙ୍କ ପାଇଁ ଏକ କଞ୍ଚାମାଲ ବ୍ୟାଙ୍କ ମଧ୍ୟ କରାଯିବ । ଏହା ଦ୍ୱାର 200 କାରିଗର ପରିବାର ଉପକାର ପାଇବେ । ଏହି ପରି ନବରଙ୍ଗପୁର ଜିଲ୍ଲାର 4 ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ 34 ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ 168.73 କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+