ରାଜନୀତି ଇତିହାସ: ଓଡ଼ିଶାରେ କଣ ରହିଛି ମେଣ୍ଟ ରାଜନୀତିର ଇତିହାସ
ଦେଶ ହେଉ ଅବା ରାଜ୍ୟ, ରାଜନୀତି କଥା ଆସିଲେ ଆମେ ବେଶ୍ ଉତ୍ସାହିତ ହୋଇପଡ଼ନ୍ତି । ନିର୍ବାଚନ, ସରକାର, ଦଳ ବଦଳ, ମେଣ୍ଟ ଆଦି ରୋଚକ ଘଟଣା ଦେଖିବାକୁ ମିଳେ । ଏଥର ମଧ୍ୟ ରାଜ୍ୟର ୨୦୨୪ ନିର୍ବାଚନରେ ସ୍ଥିତି ବେଶ୍ କୌତୁହଳପୂର୍ଣ୍ଣ ଥିଲା । ନିର୍ବାଚନ ଆଗରୁ ନେତାମାନେ ନିଜ ନିଜ ସୁବିଧା ଦେଖି ଦଳ ବଦଳ କରିବା ସହ ରାଜନୈତିକ ଦଳ ମଧ୍ୟ କ୍ଷମତା ହାସଲ ପାଇଁ ବିଭିନ୍ନ ରଣନୀତି ଆପଣାଉଥାନ୍ତି ।
ଶେଷରେ ରାଜ୍ୟ ରାଜନୀତିରେ ୨୪ ବର୍ଷ ପରେ ଦେଖିବାକୁ ମିଳିଛି ପରିବର୍ତ୍ତନ । ୨୪ ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ହାତରୁ କ୍ଷମତା ଛଡ଼ାଇ ନେଇଛି ବିଜେପି । ବିଜେପି ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକା ଗଠନ କରିଛି । ଏହା ପୂର୍ବରୁ ଯଦିଓ ବିଜେଡି ସହ ମିଶି ଦୁଇ ଥର ସରକାରରେ ଥିଲା କିନ୍ତୁ ବିଜେଡିର ଦବଦବା ଅଧିକ ରହିଥିଲା ।

ତେବେ ନିର୍ବାଚନ ସମୟ ଆସିଲେ କ୍ଷମତା ପାଇଁ ଉଠେ 'ମେଣ୍ଟ ରାଜନୀତି' ର ବିଷୟ । ଓଡ଼ିଶାରେ ମେଣ୍ଟ ରାଜନୀତି କିଛି ନୂଆ ନୁହେଁ । ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ଭିତରେ ମେଣ୍ଟ ହୋଇଥିବା ନଜର ରହିଛି । କେତେବେଳେ ମେଣ୍ଟ ଅଧିକ ସମୟ ତିଷ୍ଠିଥିବା ବେଳେ ଆଉ କେତେବେଳେ ଅଳ୍ପ ସମୟ ବ୍ୟବଧାନରେ ଭାଙ୍ଗି ଯାଇଛି । ତେବେ, ଆସନ୍ତୁ ଜାଣିବା ଓଡ଼ିଶାରେ 'ମେଣ୍ଟ ରାଜନୀତି' ବିଷୟରେ ଅଧିକ ତଥ୍ୟ...
ସ୍ୱତନ୍ତ୍ର ପ୍ରଦେଶର ପ୍ରଥମ ମେଣ୍ଟ ସରକାର
୧୯୩୬ ଅପ୍ରେଲ ୧ରେ ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ମିଳିବା ପରେ ୧୯୩୭ରେ ପ୍ରଥମ ଥର ବିଧାନସଭା ନିର୍ବାଚନ ହୋଇଥିଲା । ମୋଟ୍ ୫୬ ଆସନରେ କଂଗ୍ରେସ, ନ୍ୟାସନାଲ ପାର୍ଟି ଏବଂ ମିଳିତ ଦଳର ପ୍ରାର୍ଥୀଙ୍କ ଭିତରେ ଲଢ଼େଇ ହୋଇଥିଲା । କଂଗ୍ରେସ ସର୍ବାଧିକ ୩୭ ଆସନ ପାଇ ବହୁମତ ପାଇଥିଲା ।
୧୯୩୭ ଅପ୍ରେଲରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ନିର୍ବାଚନ ପରେ କଂଗ୍ରେସ ବିଧାୟକ ଦଳର ନେତା ବିଶ୍ୱନାଥ ଦାସ ସେହିବର୍ଷ ଜୁଲାଇ ୧୯ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜୁଲାଇ ୨୬ ଓ ୨୭ରେ ବିଧାୟକମାନେ ଶପଥ ନେଇଥିଲେ । ସେହିପରି ଜୁଲାଇ ୨୮ରେ କଟକର ତତ୍କାଳୀନ ରେଭେନ୍ସା କଲେଜ ପରିସରରେ ପ୍ରଥମ ବିଧାନସଭା ଅଧିବେଶନ ବସିଥିଲା ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପ୍ରସଙ୍ଗରେ ସେତେବେଳେ ଅଧିକ ଦିନ କ୍ଷମତାରେ ରହିପାରି ନଥିଲା କଂଗ୍ରେସ । ୧୯୪୧ ମସିହା ନଭେମ୍ବର ୧୪ରେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ଅନ୍ୟ ଦଳର ବିଧାୟକଙ୍କ ସହଯୋଗରେ ମେଣ୍ଟ ସରକାର ଗଠନ କରିଥିଲେ । କୃଷ୍ଣଚନ୍ଦ୍ର ଗଜପତି ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ । ଏଥିରେ କଂଗ୍ରେସ ବିଧାୟକ ଗୋଦାବରୀଶ ମିଶ୍ର ଏବଂ ମୌଲବୀ ଅବଦୁସ ଶୋଭାନ ଖାନଙ୍କର ମଧ୍ୟ ସମର୍ଥନ ରହିଥିଲା। ହେଲେ ଏହି ମେଣ୍ଟ ସରକାର ବେଶି ଦିନ ଚାଲିପାରିନଥିଲା । ନେତାଙ୍କ ଭିତରେ ମତପାର୍ଥକ୍ୟ ଥିବାରୁ ୧୯୪୪ ଜୁନ୍ ୨୯ରେ ପ୍ରଥମ ମେଣ୍ଟ ସରକାର ଭାଙ୍ଗି ଯାଇଥିଲା ।
ଦ୍ୱିତୀୟ ମେଣ୍ଟ- କଂଗ୍ରେସ-ଗଣତନ୍ତ୍ର ପରିଷଦ
୧୯୫୭ରେ ୪୦ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦ ୫୧ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ମିଳିଥିଲା ୫୬ଟି ଆସନ । ଫଳରେ କଂଗ୍ରେସ ସରକାର ଗଠନ କରିଥିଲା । ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ହେଲେ କଂଗ୍ରେସ ସରକାର ଅଧିକ ଦିନ ତିଷ୍ଠି ପାରିନଥିଲା ।
ଶେଷରେ ମହତାବ ଗଣତନ୍ତ୍ର ପରିଷଦ ସହ ୧୯୫୯ ମେ' ୨୨ରେ ମେଣ୍ଟ କରିଥିଲେ । ଆରମ୍ଭରୁ ଏହି ମେଣ୍ଟ ସରକାର ଭଲରେ ଚାଲିଥିଲା। ହେଲେ ମତ ପାର୍ଥକ୍ୟ ଯୋଗୁଁ ୧୯୬୧ ମସିହା ଫେବ୍ରୁଆରି ୨୫ ତାରିଖରେ ଏହି ମେଣ୍ଟ ସରକାର ଭାଙ୍ଗିଯାଇଥିଲା ।
ଜନ କଂଗ୍ରେସ-ଗଣତନ୍ତ୍ର ପରିଷଦ ମେଣ୍ଟ
୧୯୬୭ରେ ହୋଇଥିବା ନିର୍ବାଚନରେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ହରେକୃଷ୍ଣ ମହତାବ କଂଗ୍ରେସଠାରୁ ଦୂରେଇଯାଇ ଜନକଂଗ୍ରେସରେ ଯୋଗ ଦେଇଥିଲେ । ସେ ସମୟରେ ହୋଇଥିବା ନିର୍ବାଚନରେ ଜନକଂଗ୍ରେସ ଓ ଗଣତନ୍ତ୍ର ପରିଷଦ ଭିତରେ ମେଣ୍ଟ ହୋଇଥିଲା । କଂଗ୍ରେସକୁ ୩୧ଟି ଆସନ ମିଳିଥିବା ବେଳେ ଗଣତନ୍ତ୍ର ପରିଷଦକୁ ୪୯ ଏବଂ ଜନକଂଗ୍ରେସକୁ ୨୬ଟି ଆସନ ମିଳିଥିଲା । ୧୯୬୭ ମାର୍ଚ୍ଚ ୮ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଗଣତନ୍ତ୍ର ପରିଷଦର ମୁଖ୍ୟ ରାଜେନ୍ଦ୍ର ନାରାୟଣ ସିଂହଦେଓ । ହେଲେ ଏହି ମେଣ୍ଟ ସରକାର ୧୯୭୧ ମସିହା ଜାନୁଆରି ୧ରେ ଭାଙ୍ଗି ଯାଇଥିଲା ।
୧୯୭୧ ରୋଚକ ମେଣ୍ଟ ଘଟଣା
୧୯୭୧ ନିର୍ବାଚନରେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଥିଲା ଏକ ନୂଆ ଘଟଣା । କୌଣସି ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳି ନଥିଲା । କଂଗ୍ରେସ ୫୧ଟି ଆସନ ପାଇଥିବା ବେଳେ ସ୍ୱତନ୍ତ୍ର ପାର୍ଟି ୩୬ ଏବଂ ଉତ୍କଳ କଂଗ୍ରେସ ୩୩ଟି ଆସନ ପାଇଥିଲା । ଫଳରେ ଉତ୍କଳ କଂଗ୍ରେସ ଓ ସ୍ୱତନ୍ତ୍ର ପାର୍ଟିର ମିଳିତ ସହଯୋଗରେ ୧୯୭୧ ଏପ୍ରିଲ ୯ରେ ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ପରେ ରାଉରକେଲା ଆସନରେ ହୋଇଥିବା ଉପନିର୍ବାଚନରେ ସେ ବିଧାୟକ ଭାବେ ଜିତିଥିଲେ । ହେଲେ ଏହି ସରକାରକୁ ପୂର୍ଣ୍ଣ ସହଯୋଗ ନମଳିବାରୁ ୧୯୭୨ ଜୁନ ୧୪ରେ ବିଶ୍ୱନାଥ ଦାସଙ୍କ ସରକାର ଭାଙ୍ଗି ଯାଇଥିଲା ।
ସେ ସମୟରେ କେନ୍ଦ୍ରରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ସରକାରରେ ନନ୍ଦିନୀ ଶତପଥୀ ମନ୍ତ୍ରୀ ରହିଥିଲେ। ତେଣୁ ଇନ୍ଦିରା ଏବଂ କଂଗ୍ରେସର ନିଷ୍ପତ୍ତିକ୍ରମେ ପରବର୍ତ୍ତି ସମୟରେ ନନ୍ଦିନୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ପରେ ସେ କଟକ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ସେତେବେଳେ ବିଧାନସଭାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପ୍ରଗତି ଦଳ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିଲା। ନନ୍ଦିନୀ ଶତପଥୀଙ୍କୁ ସମର୍ଥନ କରୁଥିବା କଂଗ୍ରେସ ଏବଂ ଅନ୍ୟ କିଛି ଦଳର ସଦସ୍ୟମାନେ ବିରୋଧ କରିବାରୁ ୧୯୭୩ ମାର୍ଚ୍ଚ ୩ରେ ନନ୍ଦିନୀଙ୍କ ସରକାରର ପତନ ଘଟିଥିଲା।
୧୯୭୪ ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଆସିଥିଲା। ୧୪୭ରୁ କଂଗ୍ରେସକୁ ମିଳିଥିଲା ୬୯ ଆସନ। ଫଳରେ ନନ୍ଦିନୀ ଶତପଥୀ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ବିଜେଡି-ବିଜେପି ମେଣ୍ଟ
୧୯୯୭ ଏପ୍ରିଲ ୧୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜନୀତିରେ ଏଣ୍ଟ୍ରି କରିଥିଲେ ନବୀନ ପଟ୍ଟନାୟକ । ସେ ସମୟରେ ରାଜ୍ୟରେ କଂଗ୍ରେସ ହାତରେ ଥିଲା କ୍ଷମତା । କଂଗ୍ରେସକୁ ହରାଇବା ନବୀନଙ୍କ ପାଇଁ ଥିଲା ବଡ଼ ଚାଲେଞ୍ଜ । ଜନତା ଦଳ ପକ୍ଷରୁ ଆସ୍କା ଲୋକସଭା ଉପ-ନିର୍ବାଚନ ଜିତି କେନ୍ଦ୍ରମନ୍ତ୍ରୀ ଭାବେ ପ୍ରଥମେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ । ହେଲେ ଜନତା ଦଳଠୁ ଅଲଗା ହୋଇ ସେହିବର୍ଷ ଡିସେମ୍ବର ୨୬ରେ ନିଜର ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ ନବୀନ, ଯାହାର ନାଁ ଥିଲା ବିଜୁ ଜନତା ଦଳ ।
୧୯୯୮ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଥିଲା ବିଜେଡି । ଏହାପରେ ଦେଶର ଅନ୍ୟ ରାଜନୈତିକ ଦଳ ମଧ୍ୟ ବିଜେପି ସହ ମେଣ୍ଟ କରିଥିଲେ, ଯାହାର ସୁଫଳ ୧୯୯୮ରେ ବିଜେପିକୁ ମିଳିଲା । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ଅଟଳ ବିହାରୀ ବାଜପେୟୀ । ସେତେବେଳେ ବିଜେପି-ବିଜେଡି ମେଣ୍ଟ ଫଳରେ ଓଡ଼ିଶାରୁ ବିଜେଡି ହାତେଇଥିଲା ୯ ଲୋକସଭା ଆସନ ଏବଂ ବିଜେପି ଜିତିଥିଲା ୭ ଲୋକସଭା । ଏହି ସରକାର ମାତ୍ର ୧୩ ମାସ ଚାଲିଥିଲା ।
୨୦୦୦ ମସିହାରେ ଓଡ଼ିଶାରେ ବିଜେପି-ବିଜେଡିର ମେଣ୍ଟ ସରକାର ଗଠନ ହୋଇଥିଲା । ଏହି ମେଣ୍ଟ ସରକାର ୧୦୬ ବିଧାନସଭା ଆସନ ପାଇଥିଲା । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୦୦୪ ନିର୍ବାଚନରେ ମଧ୍ୟ ବିଜେଡି-ବିଜେପି ମେଣ୍ଟ ବଳବତ୍ତର ରହିଥିଲା । ୨୧ଟି ଲୋକସଭା ଆସନରୁ ବିଜେଡି ୧୧ ଲୋକସଭା ଜିତିଥିବାବେଳେ ବିଜେପି ୭ଟି ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ କେବଳ ୨ଟି ଆସନରେ ସୀମିତ ରହିଥିଲା । ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୮୪ ଆସନରେ ପ୍ରାର୍ଥୀ ଦେଇ ୬୧ ଆସନରେ ବିଜୟୀ ହୋଇଥିଲା । ସେହିପରି ବିଜେପି ୬୩ ଆସନରୁ ୩୨ଟି ପାଇଥିଲା । କଂଗ୍ରେସ କେବଳ ୩୮ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା ।
୨୦୦୯ ପରେ ଭାଙ୍ଗିଗଲା ମେଣ୍ଟ
୨୦୦୪ ଯାଏଁ କେନ୍ଦ୍ରରେ ବାଜପେୟୀଙ୍କ ସରକାର ଚାଲିଥିଲା । ବାଜପେୟୀ ସରକାର କ୍ଷମତାରୁ ଯିବା ପରେ ବିଜେପିଠାରୁ ନବୀନଙ୍କ ଦୂରତା ମଧ୍ୟ ବଢ଼ିବାରେ ଲାଗିଲା । ୨୦୦୯ ବେଳକୁ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିଗଲା । ବିଜେଡି ଏକାକୀ ବହୁମତରେ ସରକାର ଗଢ଼ିଥିଲା । ୨୦୦୯ରେ ରାଜ୍ୟରେ ବିଜେଡି ୧୦୩ ବିଧାନସଭା ଆସନ ଜିତି ବହୁମତ ହାସଲ କରିଥିଲା। ଦ୍ୱିତୀୟ ସ୍ଥାନରେ କଂଗ୍ରେସ ୧୬ଟି ଆସନ କବଜା କରିଥିବା ବେଳେ ତୃତୀୟକୁ ଚାଲି ଆସିଥିଲା ବିଜେପି । ମେଣ୍ଟ ଭାଙ୍ଗିବା ପରେ ବିଜେପି ଖାତାକୁ ଯାଇଥିଲା କେବଳ ୬ଟି ବିଧାନସଭା ଆସନ ।












Click it and Unblock the Notifications