ଓଡ଼ିଶା ଆକାଶରେ ବିଷାକ୍ତ ବାୟୁ, ରାଜ୍ୟରେ ପ୍ରଦୂଷଣ ସ୍ଥିତି ସାଂଘାତିକ
ଭୁବନେଶ୍ୱର: ଜାତୀୟ ରାଜଧାନୀ ଦିଲ୍ଲୀ ପରେ ଓଡ଼ିଶାର ବାୟୁ ପ୍ରଦୂଷଣ ବୃଦ୍ଧି ହେବାରେ ଲାଗିଛି । ବିଷାକ୍ତ ହେବାରେ ଲାଗିଛି ରାଜ୍ୟର ବାୟୁ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ବର୍ତ୍ତମାନ ଦେଶର 16 ଟି ସହରର ପ୍ରଦୂଷଣ ମାତ୍ରା ସାଂଘାତିକ ସ୍ଥିତିରେ ରହିଛି । ସେଥିମଧ୍ୟରେ ରହିଛି ଓଡିଶାର 6 ସହର ।

ଏପରିକି ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ବର୍ତ୍ତମାନ ବାୟୁପ୍ରଦୂଷଣ ମାତ୍ରା ଦିଲ୍ଲୀରେ 345 ରହିଥିବା ବେଳେ, ଅନୁଗୁଳରେ ରହିଛି 352 । ସେହିପରି କଟକରେ ବାୟୁ ପ୍ରଦୂଷଣ ମାତ୍ରା 340 ଥିବା ବେଳେ ବାଲେଶ୍ୱରରେ 334, ଭୁବନେଶ୍ୱରରେ 334, କେନ୍ଦୁଝରରେ 326, ତାଳଚେରରେ 304 ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା 300 ଏବଂ ବଡ଼ବିଲରେ 292 ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି ।
ଅଧିକ ମାତ୍ରାରେ ଯାନବାହାନ ଚଳାଚଳ, ନିର୍ମାଣ କାମ ଭଳି କାରଣ ପାଇଁ ଓଡ଼ିଶାରେ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ପହଞ୍ଚିଛି । ତାସହିତ ଦ୍ରୁତ ଶିଳ୍ପାୟନ, ଗଛ କଟା ଓ ଗ୍ରୀନ ହାଉସ୍ ପ୍ରଭାବ ଯୋଗୁ ପରିବେଶ ପ୍ରଦୂଷଣ ବଢୁଥିବା ପରିବେଶବିତ୍ କହିଛନ୍ତି ।
ଗୋଟିଏ ସମୟରେ ଅଧିକ ଶିଳ୍ପାଞ୍ଚଳ କିମ୍ବା ଅଧିକ ଗାଡ଼ି ମଟର ଚଳାଚଳ କରୁଥିବାରୁ ସହରରେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବା କୁହାଯାଇଥିଲା। ମାତ୍ର ଏବେ କଟକ, ବାରିପଦା, ବାଲେଶ୍ବର ଓ ରାଇରଙ୍ଗପୁର ସହରର ବାୟୁ ପ୍ରଦୂଷିତ ହେବା ପଛରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ପଞ୍ଜାବ ଓ ହରିୟାଣା ଢାଞ୍ଚାରେ ଓଡ଼ିଶା କ୍ଷେତ୍ରରେ ଧାନ ନଡ଼ାକୁ ବ୍ୟାପକ ମାତ୍ରାରେ ପୋଡ଼ି ଦିଆଯାଉଥିବାରୁ ଏହାର ଧୂଆଁ ସେଠାକାର ବାୟୁମଣ୍ଡଳକୁ ଆଚ୍ଛାଦିତ କରିଦେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ସୃଷ୍ଟି ହେଉଥିବା ବେଳେ ଉପକୂଳ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଏବେ ବାୟୁ ଗୁଣବତ୍ତା କମିଯିବା ଲାଗି ମନୁଷ୍ୟକୃତ ବିପର୍ଯ୍ୟୟ ଦାୟୀ ବୋଲି ବିଶେଷଜ୍ଞ କହିବା ଆରମ୍ଭ କଲେଣି ।
ସୂଚନାଯୋଗ୍ୟ, AQI କ୍ୟାଟାଗୋରୀ ଅନୁଯାୟୀ, 401 - 500 ମଧ୍ୟରେ ଭାଲ୍ୟୁ ରହିଲେ ସିଭିୟର, 301-400 ମଧ୍ୟରେ ରହିଲେ ଅତି ନିମ୍ନମାନର, 201-300 ମଧ୍ୟରେ ରହିଲେ ନିମ୍ନମାନର ବୋଲି ଧରାଯାଏ ।












Click it and Unblock the Notifications