ବିଷାକ୍ତ ହେଉଛି ଅନୁଗୁଳ ବାୟୁ, ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର
ଅନୁଗୁଳ: ସାଂଘାତିକ ହେଉଛି ବାୟୁ ପ୍ରଦୂଷଣ । ରାଜ୍ୟରେ ବାୟୁରେ ଘୁରି ବୁଲୁଛି ବିଷ । ପ୍ରଶ୍ୱାସରେ ନେଉଛନ୍ତି ବିଷାକ୍ତ ବାୟୁ । ଯାହାକି ମଣିଷର ଜାବନ ଉପରେ ପ୍ରଭାବ ପକାଇବାରେ ଆଶଙ୍କା ରହିଛି ।
ସ୍ଥିତି ଏମିତି କି ରାଜ୍ୟର ଅନୁଗୁଳ ସହର ସାରା ଦେଶରେ ଦ୍ୱିତୀୟ ପ୍ରଦୂଷିତ ସହର ପାଲଟିଛି । ଏଠାକାର ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ସାଂଘାତିକ ଅବସ୍ଥାରେ ରହିଛି । ଗତକାଲି ଅନୁଗୁଳର ଏୟାର୍ କ୍ବାଲିଟି ଇଣ୍ଡେକ୍ସ (ବାୟୁର ମାନ ସୂଚକାଙ୍କ) 352 ରହିଥିବା ବେଳେ ଆଜି ଏହା ଅଧିକ ଖରାପ ହୋଇ 357 ରେ ପହଞ୍ଚିଛି ।

ଲଗାତାର ଦୁଇ ଦିନ ଧରି ଅନୁଗୁଳ ସ୍ଥିତି ଅତି ସାଂଘାତିକ ସ୍ତରରେ ରହିଛି । କଟକ, ବାଲେଶ୍ୱର, ଭୁବନେଶ୍ୱର, ବାରିପଦା ସ୍ଥିତି ମଧ୍ୟ ଗମ୍ଭୀର ହୋଇପଡ଼ିଛି । ସହରବାସୀ ଶ୍ୱାସରୋଗରେ ପଡ଼ିବା ସହ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି ।
ଚିନ୍ତାର ବିଷୟ ହେଲା ଦେଶର ସର୍ବାଧିକ ପ୍ରଦୂଷିତ 10 ସହର ମଧ୍ୟରେ ଓଡ଼ିଶାର 4ଟି ସହର ରହିଛି । ଗତକାଲି ଅନୁଗୁଳରେ ଏକ୍ୟୁଆଇ ପିଏମ୍-2.5 ତଥା ଛୋଟ ଧୂଳିକଣାର ମାତ୍ରା 352 ରହିଥିଲା, ଯାହାକି ଆଜି 357 ପହଞ୍ଚି ଦେଶର ଦ୍ବିତୀୟ ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି । ଅନୁଗୁଳ ଉପରକୁ କେବଳ ନୋଏଡାର ପ୍ରଦୂଷଣ 359 ରହିଛି । ଦିଲ୍ଲୀର ପ୍ରଦୂଷଣ 343 ରହିଥିଲା । କଟକ ଓ ଭୁବନେଶ୍ବର ଆଜି ବି ଜଟିଳ ସ୍ଥିତିରେ ରହିଛି । କଟକ ଓ ବାଲେଶ୍ବରରେଏକ୍ୟୁଆଇ ମାତ୍ରା 338 ରହିଥିବା ବେଳେ ଭୁବନେଶ୍ବରରେ 334, ବାରିପଦାରେ 321 ରହିଥିବା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସୂଚନା ଦେଇଛି । କେନ୍ଦୁଝର ଓ ତାଳଚେରର ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇ ଯଥାକ୍ରମେ 285 ଓ 278 ତଥା ସାଂଘାତିକ ସ୍ତରରେ ରହିଥିବା ଜଣାପଡ଼ିଛି ।
ଓଡ଼ିଶାର ଅନ୍ୟ ସହରରେ ଅତ୍ୟଧିକ ଯାନବାହାନ ଚଳାଚଳ, ଦ୍ରୁତ ଶିଳ୍ପାୟନ ଓ ନଡ଼ାପୋଡ଼ିକୁ ବାୟୁ ପ୍ରଦୂଷଣର କାରଣ ବୋଲି ଧରାଯାଇଛି । ତେବେ ଅନୁଗୁଳର ବାୟୁ ପ୍ରଦୂଷଣର ଏକାଧିକ କାରଣ ରହିଛି । ବିଶେଷକରି ଶିଳ୍ପାନୁଷ୍ଠାନ, ଖଣି ଖନନ, ଅତ୍ୟଧିକ ଯାନବାହାନ ଚଳାଚଳ, ପାଉଁଶ ପରିବହନ, କୋଇଲା ଚାଲାଣ ଏବଂ କୋଇଲା ଦହନକୁ ଦାୟୀ କରାଯାଇଛି । ପ୍ରତିବର୍ଷ ଏହି ଶୀତଦିନେ ଅନୁଗୁଳର ପବନରେ ଏପରି ବିଷାକ୍ତ ଧୂଳିକଣା ଭର୍ତ୍ତି ହୋଇଯାଉଛି ।
ପରିବେଶବିତ୍ଙ୍କ ମତରେ ଖଣି ଖାଦନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଛି । ଶୀତ ଦିନରେ ପୋଡ଼ ଚାଷ ଆଉ ନିଆଁ ଜାଳିବା ଯୋଗୁ ମଧ୍ୟ ପ୍ରଦୂଷଣ ବଢ଼ୁଛି । ଏଥିସହ ଶୀତ ଦିନ ହୋଇଥିବାରୁ ବାୟୁର ବେଗ କମିଯାଇଛି । ଗ୍ୟାସଗୁଡ଼ିକ ବାୟୁମଣ୍ଡଳ ବାହାରକୁ ଯାଇ ପାରୁନାହିଁ । ଫଳରେ ପ୍ରଦୂଷଣ ବଢୁଛି ଓ ନିକଟସ୍ଥ ଅଞ୍ଚଳ ଗୁଡିକରେ ଅତ୍ୟଧିକ ପ୍ରଦୂଷଣ ଅନୁଭୂତ ହେଉଛି ।












Click it and Unblock the Notifications