ବିଧାୟକଙ୍କ ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ବୃଦ୍ଧି ନେଇ ଆମ୍ ଆଦମୀ ପାର୍ଟିର ଦାବି
ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି ।

ଭୁବନେଶ୍ୱର : ଓଡିଶା ବିଧାନସଭାରେ ସମସ୍ତ ରାଜନୈତିକ ଦଳର ସଦସ୍ୟମାନେ ମିଳିତ ଭାବରେ ସେମାନଙ୍କର ଦରମା ବୃଦ୍ଧି ପାଇଁ ଦାବି କରିଛନ୍ତି । ଦରଦାମ ଅତ୍ୟଧିକ ବଢିଯାଇଥିବାରୁ ସେମାନେ ପାଉଥିବା ଏକ ଲକ୍ଷ ଟଙ୍କା ଯଥେଷ୍ଟ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ଏହା ପରେ ଏହି ପ୍ରସଙ୍ଗରେ ବିରୋଧ କରିଛି ଆମ୍ ଆଦମୀ ପାର୍ଟି ।
ଓଡ଼ିଶାରେ ବିଧାୟକ ମାନଙ୍କର ଦରମା ବୃଦ୍ଧି ପୂର୍ବରୁ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ମାନଙ୍କ ପାଇଁ ଭତ୍ତା ଦୁଇ ହଜାର ପାଞ୍ଚଶହକୁ ବୃଦ୍ଧି କରିବାକୁ ଆମ୍ ଆଦମୀ ପାର୍ଟି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି । ଏ ସଂକ୍ରାନ୍ତରେ ଦିଲ୍ଲୀର ଉଦାହରଣ ଦେଇ ଏକ ମିଥ୍ୟା ତଥ୍ୟ ଦିଆଯାଇଛି ବୋଲି କହିଛି ଆମ୍ ଆଦମୀ ପାର୍ଟି ।
ଦିଲ୍ଲୀରେ ବିଧାୟକ ମାନେ କୁଆଡେ ଚାରି ଲକ୍ଷ ଟଙ୍କା ଦରମା ପାଉଛନ୍ତି ଏବଂ ଏମାନେ ମାତ୍ର ଏକ ଲକ୍ଷ ଟଙ୍କା ଦରମା ପାଉଛନ୍ତି । ମାତ୍ର ଏହି ତଥ୍ୟ ସମ୍ପୂର୍ଣ ମିଥ୍ୟା । ଦିଲ୍ଲୀରେ ବିଧାୟକ ମାନେ ଆଗରୁ ଚଉବନ ହଜାର ଟଙ୍କା ଦରମା ପାଉଥିଲେ । ଏହି ବର୍ଷ ଫେବୃଆରୀ ମାସରୁ ସେମାନଙ୍କ ଦରମା ନବେ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଦିଲ୍ଲୀରେ ବିଧାୟକ ମାନଙ୍କ ପାଇଁ ଗୃହ ନ ଥିବାରୁ ଭଡା ଘରେ ରୁହନ୍ତି । ଦେଶର ରାଜଧାନୀରେ ଦୀର୍ଘ ବାର ବର୍ଷ ପରେ ବିଧାୟକମାନଙ୍କ ଦରମାକୁ ମାତ୍ର ନବେ ହଜାର କରାଯାଇଛି ବୋଲି କହିଛି ଆମ୍ ଆଦମୀ ପାର୍ଟି ।
ଓଡ଼ିଶାରେ ଦିଲ୍ଲୀର ବିଧାୟକ ମାନଙ୍କ ଦରମା ଚାରି ଲକ୍ଷ ଟଙ୍କା ବୋଲି ମିଥ୍ୟା ପ୍ରଚାର କରି ଏଠି ଦରମାକୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କରିବା ପାଇଁ ଉଦ୍ୟମ ହେଉଛି । ଏହା ଜନସାଧାରଣଙ୍କ ପ୍ରତି ପ୍ରତାରଣା ବୋଲି ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।
ଦଳ ପକ୍ଷରୁ କୁହାଯାଇଛି ଯଦି ବିଧାୟକମାନେ ଜାଣୁଛନ୍ତି ଦରଦାମ ବହୁତ ବଢିଛି ଏବଂ ଚଳିବାକୁ ଅସୁବିଧା ହେଉଛି ତେବେ ପ୍ରଥମେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତାକୁ ଦୁଇ ହଜାର ପାଞ୍ଚଶହ ଟଙ୍କା କରିବା ପାଇଁ ଆମ୍ ଆଦମୀ ପାର୍ଟି ଦାବି କରୁଛି । ମାତ୍ର ପାଞ୍ଚଶହ ଟଙ୍କାରେ ଚଳିବା ଏହି ବର୍ଗର ଲୋକଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ତେଣୁ ବିଧାୟକ ମାନଙ୍କ ଦରମା ବୃଦ୍ଧି ପୂର୍ବରୁ ଏମାନଙ୍କର ଭତ୍ତା ରାଶିକୁ ବୃଦ୍ଧି କରିବା ପାଇଁ ସରକାର ନିଷ୍ପତ୍ତି ନେବାକୁ ଆମ୍ ଆଦମୀ ପାର୍ଟି ଦାବି କରୁଛି । ପଞ୍ଜାବ ବିଧାନସଭାରେ ଏବେ ଯେପରି ଆଇନରେ ସଂଶୋଧନ କରାଯାଇ ଜଣେ ଯେତେଥର ବିଧାୟକ ହେଲେ ବି ତାଙ୍କୁ ଥରୁଟିଏ ବିଧାୟକ ହେବାର ପେନସନ୍ ମିଳିବା ବ୍ୟବସ୍ଥା କରାଯାଇଛି, ଓଡ଼ିଶାରେ ମଧ୍ୟ ସେହିପରି କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।












Click it and Unblock the Notifications