ଚିନ୍ତା ବଢାଇଛି ସଡ଼କ ଦୁର୍ଘଟଣା, 2023 ରେ ଯାଇଛି 5600 ଜୀବନ
Road Accident Death: ରାଜ୍ୟରେ ଉତ୍କଟ ହେଉଛି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ । ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ଷକରେ ରାଜ୍ୟରେ 5600 ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏଥି ମଧ୍ୟରେ 70 ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଦୈନିକ ହାରାହାରି 15 ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି, ଯାହାକି ଚିନ୍ତାର ବିଷୟ ।

ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଛି । ବିଭିନ୍ନ ପଞ୍ଚାୟତିରାଜ ପ୍ରତିଷ୍ଠାନର ସଦସ୍ୟ ଯଥା ସରପଞ୍ଚଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ । ହେଲମେଟ ଆଇନକୁ ମଧ୍ୟ କଡାକଡି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ ଜାତୀୟ ରାଜପଥ 16 ଓ 316 କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମାନେ ଜୁନ୍ ମାସ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ ଏବଂ ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଯେପରି ହ୍ରାସ ପାଇବ ସେଥିପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି ।
ସେହିପରି ସଡ଼କ ଦୁର୍ଘଟଣା ଯୋଗୁ ଅନେକ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାରୁ ପୋଲିସ ବହୁ ସମୟରେ ଅସୁବିଧାରେ ପଡୁଛି । ତେଣୁ ପୋଲିସ ମହାନିର୍ଦ୍ଦେଶକ ସମସ୍ତ ଥାନାକୁ ଏ ବାବଦରେ ନିର୍ଦ୍ଦେଶ ଦେବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଏହା ସହ ପ୍ରତିଦିନ ରାଜ୍ୟରେ ପ୍ରାୟ 15ଟି ଦୁର୍ଘଟଣାଜନିତ ମୃତ୍ୟୁ ଘଟୁଥିବାରୁ ଉନ୍ନୟନ କମିଶନର ଚିନ୍ତାବ୍ୟକ୍ତ କରିଛନ୍ତି । ସେ ନିର୍ମାଣ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆସନ୍ତା 3 ମାସରେ ସମସ୍ତ ଏନ୍ଏଚ୍, ଏସ୍ଏଚ୍ ସୁରକ୍ଷା ଅଡିଟ ଶେଷ କରାଯିବ । ଅଡିଟ ରିପୋର୍ଟ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ । ହାଇଓ୍ବେ ପାଟ୍ରୋଲର ଅଧିକାରୀଙ୍କୁ ଧାରା 185 ଅନୁଯାୟୀ ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ କ୍ଷମତା ଦିଆଯିବ । ଉଭୟ ସରକାରୀ ଓ ବେସରକାରୀ ଆମ୍ବୁଲାନ୍ସକୁ ଏକୀକୃତ କରାଯିବ । ଏକ ମୋବାଇଲ ଆପ୍ଲିକେଶନ ଦ୍ୱାରା ସମସ୍ତ ଜରୁରିକାଳୀନ ସେବା ଏକୀକୃତ ହେବ । ଫଳରେ ଦୁର୍ଘଟଣା ଘଟିବା ପରେ ନିକଟସ୍ଥ ଡାକ୍ତରଖାନାକୁ ତୁରନ୍ତ ସୂଚନା ଯିବ ।
ସେହିପରି ରାଜପଥରେ ଗୃହପାଳିତ ପଶୁଙ୍କର ଅବାଧ ଚଳପ୍ରଚଳନକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନଗୁଡିକରେ ତାର ବାଡ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇ-ଚାଲାଣ ଆଦାୟକୁ ତ୍ୱରାନ୍ୱିତ କରିବା ପାଇଁ ଇ-ସମନ ପ୍ରଚଳନ କରିବା ଦିଗରେ ପ୍ରସ୍ତାବ ରଖାଯାଇଛି ।
ଏହି ବୈଠକରେ ଉନ୍ନୟନ କମିସଶନର ଅନୁ ଗର୍ଗ, ପୋଲିସ ମହାନିର୍ଦେଶକ ଅରୁଣ ଷଡଙ୍ଗୀ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିଶନର ଅମିତାଭ ଠାକୁର, ଟ୍ରକ ଓ ବସ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ ବିଭାଗ, ନିର୍ମାଣ, ଆଇନ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।












Click it and Unblock the Notifications