ଫେବୃଆରୀ ୧୮ ରୁ +୨ ପରୀକ୍ଷା, ପୁଲିସ ସୁରକ୍ଷାରେ...
ଆସନ୍ତା ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତବର୍ଷ ୪ ଲକ୍ଷ ୧ ହଜାର ୬୨୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୯୦୯ଟି ପରୀକ୍ଷା କେନ୍ଦ୍ରରେ ୨୩ଟି ସିଟିଂରେ ପରୀକ୍ଷା ହେବ । ୨୧୧ଟି ପରୀକ୍ଷା ପରିଚାଳନା ହବ୍ (ଇଏମ୍ଏଚ୍) ହୋଇଛି । ଏହି ପରୀକ୍ଷା ପରିଚାଳନା କିଭଳି ଭାବେ ସ୍ୱଚ୍ଛ ଓ ଶୃଙ୍ଖଳିତ ହେବା ସେଥିଲାଗି ଅଣ୍ଟା ଭିଡ଼ିଛି ପରିଷଦ । ପୁଲିସ ସୁରକ୍ଷାରେ ହବ୍ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ପରିବହନ ହେବ । ସକାଳ ସାଢ଼େ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ । ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ପ୍ରବେଶ ସମୟରେ ଦୁଇସ୍ତରୀୟ ଯାଞ୍ଚ କରାଯିବ । ପରୀକ୍ଷା ସହ ଜଡ଼ିତ ନଥିବା ବ୍ୟକ୍ତିଙ୍କୁ କେନ୍ଦ୍ରକୁ ପ୍ରବେଶ ବାରଣ ହୋଇଛି ।

ଶନିବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପରିଷଦ ପକ୍ଷରୁ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା । ଏଥିରେ କୁହାଯାଇଛି, ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା କରାଯିବ । ସମସ୍ତ ପରୀକ୍ଷା କେନ୍ଦ୍ର ଓ ଇଏମ୍ଏଚ୍ରେ ପୁଲିସ କର୍ମଚାରୀ ନିଯୁକ୍ତ ହେବେ । ଇଏମ୍ଏଚ୍ରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଯିବା ସମୟରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ । ଏଥିସହ ଜଣେ ପର୍ଯ୍ୟବେକ୍ଷକ ମଧ୍ୟ ଯିବେ । ସାଢ଼େ ୯ଟାରେ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ଖୋଲାଯିବ । କପି ରୋକିବା ପାଇଁ ପରୀକ୍ଷାର୍ଥୀଙ୍କୁ ଦୁଇ ସ୍ତରୀୟ ଯାଞ୍ଚ କରାଯିବ । ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାର୍ଥୀଙ୍କ ଶରୀର ଯାଞ୍ଚ ଓ ଦ୍ୱିତୀୟ ପର୍ଯ୍ୟାୟରେ ପରିଚୟ ଯାଞ୍ଚ କରାଯିବ । ପରୀକ୍ଷା ଆରମ୍ଭର ଅଧ ଘଣ୍ଟା ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ହଲ୍ ଭିତରକୁ ଅନୁମତି ଦିଆଯିବ । ପରୀକ୍ଷା କାର୍ଯ୍ୟରେ ନିୟୋଜିତ ନ ଥିବା କୌଣସି ବ୍ୟକ୍ତି ପ୍ରବେଶ କଲେ ତାଙ୍କ ବିରୋଧରେ ଓଡ଼ିଶା ପରୀକ୍ଷା ପରିଚାଳନା ଆଇନ ୧୯୮୮ ଓ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।












Click it and Unblock the Notifications