ତିନି ବର୍ଷରେ 186 କୋଟି ତଣ୍ଡ ଗଣିଛନ୍ତି ଅମାନିଆ ଗାଡି ଚାଳକ
ଭୁବନେଶ୍ୱର: ଟ୍ୱିନ୍ ସିଟି କଟକ-ଭୁବନେଶ୍ୱରରେ କୋଟି କୋଟି ଟଙ୍କା ତଣ୍ଡ ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ । ବିନା ହେଲମେଟରେ ଗାଡ଼ି ଚଳାଇବା, ରଙ୍ଗ୍ ରୁଟ୍ ରେ ଯିବା, ମଦ ପିଇ ଗାଡ଼ି ଚଲାଇ ତଥା ଟ୍ରାଫିକ୍ ନିୟମ ଭାଙ୍ଗି ଜରିମାନା ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ । ଗତ ତିନି ବର୍ଷରେ 186 କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିସାରିଲେଣି । ନିୟମ ଉଲଙ୍ଗ କରି ଧରାପଡ଼ିଛନ୍ତି ମୋଟ୍ 18 ଲକ୍ଷ 52 ହଜାର 394 ଜଣ ।

ଏ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା । ବିଧାନସଭାରେ ବିଧାୟକ ସୌଭିକ ବିଶ୍ୱାଳ ଭୁବନେଶ୍ୱର-କଟକରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଗତ 3 ବର୍ଷରେ କେତେ ଟଙ୍କା ଜରିମାନା ଆଦାୟ କରାଯାଇଛି ସେନେଇ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ଗତ ତିନି ବର୍ଷରେ ମୋଟ 18 ଲକ୍ଷ 52 ହଜାର 394 ଜଣ ଅମାନିଆଙ୍କ ଠାରୁ ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ 186 କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ଗାଡି ଚଳାଉଥିବା 8 ଲକ୍ଷ 66 ହଜାର 464 ଜଣଙ୍କ ଠାରୁ 85 କୋଟି 6 ଲକ୍ଷ 72 ହଜାର 700 ଟଙ୍କା ଜରିମାନା ଆଦାୟ କରାଯାଇଛି । ବିନା ହେଲମେଟରେ ହିଁ ସର୍ବାଧିକ ଜରିମାନା ଆଦାୟ କରାଯାଇଛି ।
ସେହିପରି ମୋବାଇଲରେ କଥା ହୋଇ ଧରାପଡ଼ିଛନ୍ତି 14 ହଜାର 865 । ସେମାନଙ୍କ ଠାରୁ 6 କୋଟି 65 ଲକ୍ଷ 12 ହଜାର 800 ଟଙ୍କା । 19643 ଜଣ ସିଟ୍ ବେଲ୍ଟ ବ୍ୟବହାର ନ କରିବାରୁ ଗଣିଛନ୍ତି 1 କୋଟି 81 ଲକ୍ଷ 1 ହଜାର 100 ଟଙ୍କା ।
ଏହା ବାଦ୍ ରଙ୍ଗ ରୁଟରେ ଗାଡ଼ି ଚଲାଇ ଧରାପଡ଼ିଛନ୍ତି 18 ହଜାର 725 ଜଣ । ସେମାନଙ୍କ ଠାରୁ 8 କୋଟି 77 ଲକ୍ଷ 9 ହଜାର 100 ଟଙ୍କା ଜରିମାନା ଆଦାୟ କରାଯାଇଛି। । ମଦ୍ୟପାନ କରି 5628 ଜଣ ଧରା ପଡିଛନ୍ତି । ସେମାନଙ୍କ ପାଖରୁ 2 କୋଟି 80 ଲକ୍ଷ 8000 ଟଙ୍କା ଜରିମାନା ଆଦାୟ ହୋଇଛି ।












Click it and Unblock the Notifications