ରାଜ୍ୟର ଏହି ସବୁ ଜିଲ୍ଲା ଭୂ-କମ୍ପ ପ୍ରବଣ ଅଞ୍ଚଳ ! ତାଲିକାରେ ଅଛି କି ଆପଣଙ୍କ ଜିଲ୍ଲା...
ଭୁବନେଶ୍ୱର: ଆମ ରାଜ୍ୟର 15 ଜିଲ୍ଲା ଭୂ-କମ୍ପ ପ୍ରବଣ ଅଞ୍ଚଳ । ଏହି ତାଲିକାରେ ବିଶେଷ କରି ଉପକୂଳ, ପଶ୍ଚିମ ଓ ଉତ୍ତର ଓଡ଼ିଶାର ଜିଲ୍ଲା ରହିଛି । ତେବେ ଉପକୂଳ ଜିଲ୍ଲା ସଂଖ୍ୟା ରହିଛି ଅଧିକ ।
ଓଡ଼ିଶାର ମୋଟ 30 ଜିଲ୍ଲା ମଧ୍ୟରୁ 15 ଜିଲ୍ଲା ଏବେ ଭୂ-କମ୍ପ ପ୍ରବଣ ଅଞ୍ଚଳ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ ଆଜି ଏହି ସୂଚନା ପ୍ରଦାନ କରିଛନ୍ତି ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ଜିଲ୍ଲା ଭୂକମ୍ପ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ? ଏବଂ ଏହା କେଉଁ ଅଞ୍ଚଳ ସମ୍ବେଦନଶୀଳ ଏବଂ ଅଣ ସମ୍ବେଦନଶୀଳ । ତା ସହିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଏହି ସବୁ ଅଞ୍ଚଳରେ କି ପଦକ୍ଷେପ ଗ୍ରହଣ କରାଯାଇଛି ?
ଏହାର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଥିଲେ ଯେ, ଓଡିଶାର 15 ଜିଲ୍ଲା ଭୂ-କମ୍ପ ପ୍ରବଣ ଅଞ୍ଚଳ । ଏହି ତାଲିକାରେ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ରହିଛି ।
ଏହା ସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସହରରେ ସହରାଞ୍ଚଳ ଭୂମିକମ୍ପ ବିପଦ ସଙ୍କୁଳନ ହ୍ରାସ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ତା ବ୍ୟତୀତ ଏ ସମ୍ପର୍କରେ ତାଲିମ ମଧ୍ୟ ଦିଆଯାଉଛି । ଭୂମିକମ୍ପ ସମ୍ପର୍କରେ ଜାଣିବା ପାଇଁ ପ୍ରାଥମିକ ଶିକ୍ଷାରେ ଏହାକୁ ସାମିଲ କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।












Click it and Unblock the Notifications