ଶିମିଳିପାଳ ଫରେଷ୍ଟର ହତ୍ୟା ମାମଲାରେ 10 ଜଣ ଗିରଫ, ଦେଶୀ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଜବତ
ବାରିପଦା : ଶିମିଲିପାଳ ଅଭୟାରଣ୍ୟ ଫରେଷ୍ଟର ହତ୍ୟା ମାମଲାରେ ମୟୂରଭଞ୍ଜ ପୋଲିସକୁ ମିଳିଛି ବଡ଼ ସଫଳତା । ଏହି ମାମଲାରେ ପୋଲିସ୍ 10 ଜଣଙ୍କୁ ଗିରଫ କରିଛି ।
ସୂଚନାନୁସାରେ, ଗିରଫ ସମସ୍ତ ବ୍ୟକ୍ତି ଠାକୁରମୁଣ୍ଡା ପୋଲିସ ଷ୍ଟେସନ ଅନ୍ତର୍ଗତ ଏଡେଲବେଡା ଗାଁର ଅଟନ୍ତି । ସେମାନେ ହେଲେ ତୁରୀ କାଣ୍ଡେୟାନ୍, ରମାଇ କାଣ୍ଡେୟାନ୍, ମୋରା ହୋ, ମାଣିକ୍ରମ କାଣ୍ଡେୟାନ୍, ଗୋପାବନ୍ଧୁ କାଣ୍ଡେୟାନ୍, ଦିଲୀପ କାଣ୍ଡେୟାନ୍, ରାମସିଂହ ଗୁଣ୍ଡୁଆ, ସିଙ୍ଗା ହୋ, ଗେମିଆ ହୋ ଏବଂ ଚମ୍ପାଇ ହୋ ।

ଗିରଫ ବ୍ୟକ୍ତିଙ୍କ ନିକଟରୁ ପୋଲିସ 2 ଟି ଦେଶୀ ବନ୍ଧୁକ, 2 ଧନୁ, 3 ତୀର, 2 କୁରାଢୀ ଏବଂ ଲୁହା ରଡ ଜବତ କରିଛି । ଅନ୍ୟମାନଙ୍କର ସମ୍ପୃକ୍ତି ଜାଣିବା ପାଇଁ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ ଯେ ଜୁନ୍ 16 ଏବଂ 17 ର ମଧ୍ୟବର୍ତ୍ତୀ ରାତିରେ ଗାମୁଚାଝରନ୍ ଠାରେ ଶିମିଲିପାଳ ଅଭୟାରଣ୍ୟରେ ପାଟ୍ରୋଲିଂ କରିବା ସମୟରେ ଶିକାରୀ ମାନେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ଫରେଷ୍ଟର ମାଠି ହାଁସଦାଙ୍କ ମୃତ୍ୟୁ ହୋଇଥିଲା ।
ଜଙ୍ଗଲ ଅଧିକାରୀମାନେ ଶିକାରୀଙ୍କୁ ଅଟକାଇବା ସମୟରେ ସେମାନେ ଗୁଳି ଚଳାଇଥିଲେ । ଛାତିରେ ଗୁଳି ବାଜିଥିବା ମାଠି ହାଁସଦାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।












Click it and Unblock the Notifications