କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ପାଠ ମଞ୍ଚରେ ଶକ୍ତି ପ୍ରଦର୍ଶ କରିବେ ବିରୋଧୀ

ବାଙ୍ଗଲୋର : କର୍ଣ୍ଣାଟକରେ କଂଗ୍ରେସର ବିପୁଳ ବିୟଜ ପରେ ଆସନ୍ତା କାଲି ସରକାର ଗଠନ କରିବ ଦଳ । ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଏବଂ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ପାଠ କରିବେ । ରାଜ୍ୟରେ କଂଗ୍ରେସର ବିଜୟ ପରେ ଦକ୍ଷିଣ ଭାରତ ବିଜେପି ମୁକ୍ତ ହୋଇସାରିଛି । ଏହାର ସୁଯୋଗ ନେଇ ବିଜେପିକୁ ମାତ୍ ଦେବା ଲାଗି ଅଣ୍ଟା ଭିଡିଛି କଂଗ୍ରେସ ।
ଏହି ଶପଥ ପାଠ ସମାରୋହରେ କଂଗ୍ରେସ ସମାନ ବିଚାରଧାରା ରଖୁଥିବା ସମସ୍ତ ବିରୋଧୀଙ୍କୁ ଏକାଠି କରିବାକୁ କରିଛି ଯୋଜନା । 2024 ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ଏକାଠି କରି ମୋଦୀ ବିରୋଧୀ ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହୋଇଛି ଦଳ । ଏହି ଶପଥ ସମାରୋହରେ ମୋଦୀ ବିରୋଧୀ ଭାବେ ଜଣାଶୁଣା ମମତା ବାନାର୍ଜୀ, ଶରଦ ପାୱାର, ନୀତୀଶ କୁମାର, କେସିଆର୍ ଏବଂ ଉଦ୍ଧବ ଠାକରେଙ୍କୁ ବେଙ୍ଗାଲୁରୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଛି ।
ଏହା ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ ମଧ୍ୟ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ସୀତାରାମ ୟେଚୁରୀ, ଫାରୁକ ଅବଦୁଲ୍ଲା, ଅଖିଳେଶ ଯାଦବ ଏବଂ ନବୀନ ପଟ୍ଟନାୟକ ଭଳି ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି । ଗତ କିଛି ଦିନ ଧରି ରାଜ୍ୟ ରାଜ୍ୟ ବୁଲି ବିରୋଧୀଙ୍କୁ ଏକାଠି କରିବାରେ ଲାଗିଥିବା ନୀତିଶ କୁମାର ଏହି ସମାରୋହରେ ସାମିଲ ହେବେ ବୋଲି ଜେଡିୟୁ ମୁଖପାତ୍ର ରାଜୀବ ରଞ୍ଜନ କହିଛନ୍ତି ।
ଏଥି ସହିତ ଏହି କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିମନ୍ତ୍ରଣ କରାଯାଇଛି । ଏହା ସହିତ କର୍ଣ୍ଣାଟକ କଂଗ୍ରେସ ଛତିଶଗଡ ସିଏମ ଭୁପେଶ ବାଘେଲ, ରାଜସ୍ଥାନ ସିଏମ ଅଶୋକ ଗେହଲୋଟ, ହିମାଚଳ ପ୍ରଦେଶ ସୁଖବିନ୍ଦର ସିଂହ, ଝାଡଖଣ୍ଡର ସିଏମ ହେମନ୍ତ ସୋରେନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଷ୍ଟାଲିନଙ୍କୁ ମଧ୍ୟ ରହିଛି ନିମନ୍ତ୍ରଣ । ଯଦି ଏହି ସମସ୍ତ ନେତା ଆସନ୍ତାକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ସାମିଲ ହୁଅନ୍ତି, ତେବେ ମିଳିତ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ହୋଇପାରିବ । ଏପରିକି 2024 ଲୋକସଭା ନିର୍ବାଚନରେ ମୋଦୀ ଲହରକୁ ମାତ୍ ଦେବା ପାଇଁ ଦେଶରେ କିଛି ମାହୋଲ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି ।
ଆପଣଙ୍କୁ କହି ରଖୁଛୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଅପରାହ୍ନ 12.30 ରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ ।












Click it and Unblock the Notifications