Get Updates
Get notified of breaking news, exclusive insights, and must-see stories!

No Confidence Motion : ଅନାସ୍ଥା ପ୍ରସ୍ତାବର ସାମ୍ନା କରିନି ଏହି ସରକାର, ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ରହିଛି ରେକର୍ଡ

No Confidence Motion : ଦେଶର ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିବା ଏକ ବଡ଼ କଥା । କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ସରକାରଙ୍କୁ ନିଜର ବହୁମତ ସାବ୍ୟସ୍ତ କରିବାକୁ ପଡ଼ିଥାଏ । ବର୍ତ୍ତମାନର ମୋଦୀ ସରକରା ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ ।

No confidence motion

ଚଳିତ ମୌସୁମୀ ଅଧିବେଶନରେ ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ଜିଦ୍ ଧରିଛନ୍ତି ମିଳିତ ବିରୋଧୀ । ସରକାର ଏ ନେଇ ପ୍ରସ୍ତୁତ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ବିବୃତ୍ତି ରଖନ୍ତୁ ବୋଲି ଦାବି କରୁଛନ୍ତି ବିପକ୍ଷ । କିନ୍ତୁ ଶାସକ ଏ ନେଇ କର୍ଣ୍ଣପାତ ନ କରିବା ସହ ପ୍ରଧାନମନ୍ତ୍ରୀ ଗୃହକୁ ଆସି ନାହାଁନ୍ତି । ଏହି ସମୟରେ ମୋଦୀ ସରକାରକୁ ଗୃହରେ ଘେରିବାକୁ ସ୍ୱତନ୍ତ୍ର ରଣନୀତି କରିଛନ୍ତି ବିରୋଧୀ ଦଳ ।

କଂଗ୍ରେସ ସାଂସଦ ରଞ୍ଜନ ଗୋଗୋଇ ଗୃହରେ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଯଦିଓ ଏନଡିଏ ସରକାର ନିକଟରେ ଗୃହରେ ପୂର୍ଣ୍ଣ ବହୁମତ ରହିଥିବା ନେଇ ଜାଣିଛନ୍ତି ବିରୋଧୀ, ତଥାପି ମୋଦୀଙ୍କୁ ଗୃହରେ ହାଜର କରିବାକୁ ଏହି ଅନାସ୍ଥା ପ୍ରସ୍ତାବକୁ ଅସ୍ତ୍ର କରିଛନ୍ତି ବିରୋଧୀ । ବିରୋଧୀଙ୍କ ଏହି ଅନାସ୍ଥା ପ୍ରସ୍ତାବ ଖାରଜ ହେବା ଜାଣି ମଧ୍ୟ ମୋଦୀଙ୍କୁ ଗୃହରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ହେବ ।

ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଚାଲିଥିବା ବିରୋଧ ମଧ୍ୟରେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ ବୁଧବାର (ଜୁଲାଇ 26 ) ଲୋକସଭାରେ ମୋଦୀ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ । ଏହା ଉପରେ ଆଲୋଚନା ପାଇଁ ବାଚସ୍ପତି ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି । ଗତ 9 ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୋଦୀ ସରକାର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ ।

ଇନ୍ଦିରା ସରକାର ବିରୋଧରେ ରେକର୍ଡ -

ତେବେ ଭାରତ ସଂସଦ ଇତିହାସରେ ଅନାସ୍ଥା ପ୍ରସ୍ତାବର ଇତିହାସ ବହୁ ପୁରୁଣା । ବର୍ତ୍ତମାନ ସୁଦ୍ଧା ଭାରତୀୟ ସଂସଦର ଇତିହାସରେ ମୋଟ 27 ଥର ଆଣାଯାଇଛି ଅନାସ୍ଥା ପ୍ରସ୍ତାବ । ଏଥିରେ ରେକର୍ଡ ସଂଖ୍ୟକ ଅନାସ୍ଥା ପ୍ରସ୍ତାବ ଆସିଥିଲା ଇନ୍ଦିରା ଗାନ୍ଧୀଙ୍କ ସରକାର ବିରୋଧରେ । ମୋଟ 15 ଥର ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ ଇନ୍ଦିରା ଗାନ୍ଧୀ । ସେହିପରି ଲାଲ୍ ବାହାଦୁର ଶାସ୍ତ୍ରୀ ଓ ପିଭି ନରସିଂହା ରାଓଙ୍କ ସରକାର ବିରୋଧରେ 3 ଥର ଆସିଥିଲା ଅନାସ୍ଥା ପ୍ରସ୍ତାବ । ମୋରାରଜୀ ଦେଶାଇ ଓ ଅଟଳ ବିହାରୀ ବାଜପେୟୀ ଦୁଇଥର ଅବିଶ୍ୱାସ ପ୍ରସ୍ତାବର ସାମ୍ନା କରିଥିଲେ ।

Indira Gandhi

ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ସର୍ବାଧିକ 15 ଥର ଅନାସ୍ଥା ପ୍ରସ୍ତାବ ଆସିଥିଲା । ଯେତେବେଳେ ଇନ୍ଦିରା ଗାନ୍ଧୀ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ରାଜ୍ୟସଭା ସାଂସଦ ଥିଲେ । ଅଗଷ୍ଟ 1966 ରେ ସିପିଆଇ ସାଂସଦ ହିରେନ୍ଦ୍ରନାଥ ମୁଖାର୍ଜୀ ତାଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହାକୁ 270 ସାଂସଦ ସମର୍ଥନ କରିଥିବାବେଳେ 270 ସାଂସଦ ବିରୋଧ କରିଥିଲେ ।

ଏହା ପରେ ନଭେମ୍ବର 1966 ରେ ଭାରତୀୟ ଜନ ସଂଘ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ମଧ୍ୟ କାଟ୍ ଖାଇଥିଲା । ତାଙ୍କ ବିରୋଧରେ ଅଟଳ ବିହାରୀ ବାଜପେୟୀ ମଧ୍ୟ ଅନାସ୍ଥା ପ୍ରସ୍ତାବ ଆଣିଥିଲେ, କିନ୍ତୁ ସଫଳ ହୋଇନଥିଲେ ।

ପୁଣି ନଭେମ୍ବର 1967, ଫେବୃଆରୀ 1968 ଏବଂ ନଭେମ୍ବର 1968 ରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । ଏହାଛଡ଼ା ଫେବୃଆରୀ 1969, ଜୁଲାଇ 1970, ନଭେମ୍ବର 1973 ଏବଂ ମେ 1975 ରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା ।
ପୁଣି ମେ 1975 , 1981 (ଦୁଇଥର) ଏବଂ ଅଗଷ୍ଟ 1982 ରେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । ଥରେ ବି ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସଫଳ ହୋଇନଥିଲା । ଅନ୍ୟପକ୍ଷରେ ମୋରାରଜୀ ଦେଶାଇ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବା ବିନା 1979 ରେ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ ।

ପ୍ରଥମ ଅନାସ୍ଥା ପ୍ରସ୍ତାବ -

ଲୋକସଭା ଇତିହାସରେ ସର୍ବପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ବିରୋଧରେ ଆସିଥିଲା ଅନାସ୍ଥା ପ୍ରସ୍ତାବ । 1963 ମସିହାରେ ଆଚାର୍ଯ୍ୟ କୃପାଲାନି ଏହି ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସପକ୍ଷରେ 62 ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ 347 ଭୋଟ୍ ପଡ଼ିଥିଲା ।
ଏହା ପରେ ଇନ୍ଦିରା ଗାନ୍ଧୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସହ ଅନେକ ପ୍ରଧାନମନ୍ତ୍ରୀଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆସ୍ଥା ଭୋଟରେ ପରାଜୟ ଯୋଗୁଁ ତିନିଜଣ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ।

ଅନାସ୍ଥା ପ୍ରସ୍ତାବ ଭାଙ୍ଗିଦେଇଥିଲା 3 ସରକାର-

ଅନାସ୍ଥା ପ୍ରସ୍ତାବରେ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହୋଇ 1990 ରେ ଭିପି ସିଂହ, 1997 ରେ ଏଚଡି ଦେବବେଗୌଡା ଏବଂ 1999 ରେ ଅଟଳ ବିହାରୀ ବାଜପେୟୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ନଭେମ୍ବର 1990 ରେ ଭିପି ସିଂହଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ସେତେବେଳେ ରାମ ମନ୍ଦିର ପ୍ରସଙ୍ଗରେ ଭିପି ସିଂହ ସରକାରଙ୍କ ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ଏହି ପ୍ରସ୍ତାବ ସପକ୍ଷରେ 346 ଭୋଟ୍ ଓ ବିପକ୍ଷରେ 142 ଭୋଟ୍ ପଡ଼ିଥିଲା ।

Atala Bihari Vajpayee

ସେହିପରି 1997 ମସିହାରେ ଏଚଡି ଦେବବେଗୌଡାଙ୍କ ବିରୋଧରେ ଆସିଥିବା ପ୍ରସ୍ତାବରେ 292 ସାଂସଦ ସରକାରଙ୍କ ବିରୋଧରେ ଭୋଟ୍ ଦେଇଥିଲେ । କେବଳ 158 ସାଂସଦ ସରକାରଙ୍କୁ ସମର୍ଥନ କରିଥିଲେ । ଏଆଇଏଡିଏମକେ ସମର୍ଥନ ପ୍ରତ୍ୟାହାର କରିନେବାରୁ 17 ଅପ୍ରେଲ 1999 ଅଟଳ ବିହାରୀ ବାଜପେୟୀ ସରକାର ମାତ୍ର ଗୋଟିଏ ଭୋଟରେ ହାରିଯାଇଥିଲେ ।

ଏହା ବାଦ୍ 2 ସେପ୍ଟେମ୍ବର 1964 ରେ ଏନସି ଚାଟାର୍ଜୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । 18 ସେପ୍ଟେମ୍ବରରେ ଏହା ଉପରେ ଭୋଟିଂ ହୋଇଥିଲା । କିନ୍ତୁ ଚାଟାର୍ଜୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାରକୁ ହଟାଇବାରେ ବିଫଳ ହୋଇଥିଲେ । ଏହା ପରେ ମାର୍ଚ୍ଚ 1965 ଏବଂ ଅଗଷ୍ଟ 1965 ରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିରୋଧରେ ପୁଣି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । କିନ୍ତୁ ଏଥର ମଧ୍ୟ ଖାରଜ ହୋଇଯାଇଥିଲା ।

ଏହା ପରେ ଡିସେମ୍ବର 1987 ରେ ସି.ମାଧବ ରେଡ୍ଡୀ ରାଜୀବ ଗାନ୍ଧୀଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । କିନ୍ତୁ ଏହା ସଫଳ ହୋଇ ନଥିଲା । ଜୁଲାଇ 1992 ରେ ପିଭି ନରସିଂହ ରାଓଙ୍କ ବିରୋଧରେ ବିଜେପି ନେତା ଯଶୱନ୍ତ ସିଂ ଆଣିଥିଲେ ଅବିଶ୍ବାସ ପ୍ରସ୍ତାବ । ଏହା ଉପରେ 17 ଜୁଲାଇ 1992 ରେ ଭୋଟିଂ ହୋଇଥିଲା । 225 ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ କରିଥିବା ବେଳେ 271 ସାଂସଦ ବିରୋଧ କରିଥିଲେ ।

ସେହି ବର୍ଷ ଡିସେମ୍ବର ମାସରେ ଅଟଳ ବିହାରୀ ବାଜପେୟୀ ପିଭି ନରସିଂହ ରାଓଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏହା ଉପରେ 21 ଘଣ୍ଟା ବିତର୍କ ପରେ 111 ସାଂସଦ ଏହି ପ୍ରସ୍ତାବ ସପକ୍ଷରେ ଭୋଟ୍ ଦେଇଥିବାବେଳେ 336 ସାଂସଦ ଏହାକୁ ବିରୋଧ କରିଥିଲେ । ଏହା ପରେ ପୁଣି ଜୁଲାଇ 1993 ରେ ପିଭି ନରସିଂହ ରାଓଙ୍କୁ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ଏଥର ମଧ୍ୟ ସେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦ ବଜାୟ ରଖିଥିଲେ ।

Manmohan Singh

କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ 2003 ରେ ଅଟଳ ବିହାରୀ ବାଜପେୟୀଙ୍କ ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ । 189 ସାଂସଦ ଏହାର ସମର୍ଥନରେ ଭୋଟ୍ ଦେଇଥିବାବେଳେ 314 ଜଣ ଏହାକୁ ବିରୋଧ କରିଥିଲେ । ଫଳରେ ବାଜପେୟୀଙ୍କ ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଥିଲା ‌। ଅନ୍ୟପକ୍ଷରେ ମନମୋହନ ସିଂହଙ୍କ 10 ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବିରୋଧରେ ଥରେ ବି ଅନାସ୍ଥା ପ୍ରସ୍ତାବ ଆସିନଥିଲା ।

ବର୍ତ୍ତମାନ ମୋଦୀ ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଦେଶର 28ତମ ଅନାସ୍ଥା ପ୍ରାସ୍ତାବ ହୋଇଥିବା ବେଳେ ଏଥିରେ ବିରୋଧୀ ବିଫଳ ହେବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+