ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି, ବିଜେଡ଼ି ଯୋଗଦେବା ମିଳିତ ବିରୋଧୀଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ନୂଆ ସଂସଦ ଉଦଘାଟନକୁ ନେଇ ତେଜୁଛି ରାଜନୀତି । ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନ କରିବା ଏବଂ ତାଙ୍କ ଦ୍ୱାରା ଉଦଘାଟନ ନ କରିବାକୁ ବିରୋଧ କରି ମୋର୍ଚ୍ଚା ଖୋଲିଛନ୍ତି ବିରୋଧୀ ଦଳ । କଂଗ୍ରେସ ସମେତେ 18 ବିରୋଧୀ ଦଳ ଏହି ସମାରୋହରେ ସାମିଲ ନ ହେବା ନେଇ ମିଳିତ ବିବୃତ୍ତି ଜାରି କରିଛନ୍ତି । କିନ୍ତୁ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଅନ୍ୟ କେତେକ ଦଳ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସମାରୋହରେ ସାମିଲ ହେବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହା ପରେ ମିଳିତ ବିରୋଧୀଙ୍କ ଲାଗିଛି ଝଟକା ।
ଯୋଗ ଦେବେନି ମିଳିତ ବିରୋଧୀ
କଂଗ୍ରେସ ସମେତ, ଆମ୍ ଆଦ୍ମୀ ପାର୍ଟି, ତୃଣମୂଳ କଂଗ୍ରେସ, ଦ୍ରାଭିଡ଼ ମୁନ୍ନେତ୍ରା କାଝାଗାମ,ବାମ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଜନତା ଦଳ ୟୁନାଇଟେଡ୍, ନ୍ୟାସ୍ନାଲ କଂଗ୍ରେସ ପାର୍ଟି, ସମାଜବାଦୀ ପାର୍ଟି, ଉଦ୍ଧବ ବାଲାସାହେବ ଠାକ୍ରେ ଶିବସେନା ଓ ଅନ୍ୟମାନେ ନୂଆ ସଂସଦ ଭବନକୁ ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ଆସିବେ ନାହିଁ ବୋଲି ବୁଧବାର ମିଳିତ ଭାବେ କହିଛନ୍ତି ।
ଏହି ଦଳ ଦେବେ ଯୋଗ
କିନ୍ତୁ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା, ନ୍ୟାସ୍ନାଲ ପିପୁଲ୍ସ ପାର୍ଟି(ଏନ୍ପିପି), ନ୍ୟାସ୍ନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି(ଏନ୍ଡିପିପି), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା(ଏସ୍କେଏମ୍), ରାଷ୍ଟ୍ରୀୟ ଲୋକଜନଶକ୍ତି ପାର୍ଟି(ଆର୍ଏଲ୍ଜେପି), ଆପନା ଦଳ(ସୋନେଲାଲ), ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆ(ଆର୍ପିଆଇ), ତାମିଲ ମାନିଲା କଂଗ୍ରେସ, ଅଲ୍ ଇଣ୍ଡିଆ, ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ(ଏଆଇଏଡିଏମ୍କେ), ଅଲ୍ ଝାରଖଣ୍ଡ ଷ୍ଟୁଡେଣ୍ଟ ୟୁନିୟନ(ଏଜେଏସ୍ୟୁ), ମିଜୋ ନ୍ୟାସ୍ନାଲ ଫ୍ରଣ୍ଟ(ଏମ୍ଏନ୍ଏଫ୍), ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ପାର୍ଟି(ୱାଇଏସ୍ଆର୍ସିପି), ତେଲଗୁ ଦେସମ ପାର୍ଟି(ଟିଡିପି), ଶିରୋମଣି ଅକାଳି ଦଳ(ଏସ୍ଏଡି) ଏବଂ ବିଜୁ ଜନତା ଦଳ(ବିଜେଡି) ଏହିସବୁ ଦଳ ଉଦ୍ଘାଟନୀ ଉତ୍ସବକୁ ଆସିବେ ବୋଲି ସୂଚନା ରହିଛି ।
ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ନେଇ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ । 1975 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସଂସଦର ଆନେକ୍ସ୍ ବିଲ୍ଡିଙ୍ଗ୍କୁ ଉଦ୍ଘାଟନ କରିଥିଲେ । ସେହିପରି 1987 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ସଂସଦର ଲାଇବ୍ରେରୀ କୋଠାକୁ ଉଦ୍ଘାଟନ କରିଥିଲେ ।
ସେହିପରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଗତ 9 ବର୍ଷରେ ଛଅଟି ଅଣ-ବିଜେପି ଶାସିତ ରାଜ୍ୟରେ ନୂତନ ବିଧାନସଭାର ଶିଳାନ୍ୟାସ ତଥା ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନ କରିବା ନେଇ ବିରୋଧ କରାଯିବା ପରିପ୍ରେକ୍ଷୀରେ ହିମନ୍ତ ବିଶ୍ବା ଶର୍ମା କହିଛନ୍ତି ଯେ ଯଦି ବିଧାନସଭାର ଉଦ୍ଘାଟନ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ କରୁନାହାଁନ୍ତି, ତେବେ ସଂସଦର ଉଦ୍ଘାଟନ ପ୍ରଧାନମନ୍ତ୍ରୀ କରିବାରେ କେଉଁଠି ଅସୁବିଧା ରହିଲା ? ସେହିପରି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସଂସଦ ଭବନର ଉଦ୍ଘାଟନ ଭଳି ପବିତ୍ର କାର୍ଯ୍ୟରେ ରାଜନୀତି କରିବା ଅନୁଚିତ । ସମସ୍ତେ ଗଣତନ୍ତ୍ରକୁ ସମ୍ମାନ ଦେଇ ଏଥିରେ ସାମିଲ ହେବାକୁ ସେ ଅନୁରୋଧ କରିଛନ୍ତି ।
ଆପଣଙ୍କୁ କହି ରଖୁଛୁ କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ବିଜୟ ପରେ ମିଳିତ ବିରୋଧୀଙ୍କ ନେତୃତ୍ୱ ନେବାକୁ ଚେଷ୍ଟା କରୁଛି । ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ପ୍ରୟାସ କରୁଛି ।
ତେଣୁ ଏହି ସମୟରେ ନୂଆ ସଂସଦ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ବିରୋଧୀଙ୍କୁ ଏକଜୁଟ୍ କରିବାରେ ଲାଗିଛି । ଏପରିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ନିମନ୍ତ୍ରିତ ହୋଇନଥିବା ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ କଂଗ୍ରେସ ସହ ସହମତି ପ୍ରକାଶ କରି ନୂଆ ସଂସଦ ଉଦଘାଟନ ସମାରୋହକୁ ବହିଷ୍କାର କରିଛି । ତେବେ ସଂସଦ ଉଦଘାଟନରେ ଯୋଗଦେବାକୁ ବିଜେଡ଼ି ସ୍ପଷ୍ଟ କରିବା ପରେ ମିଳିତ ବିରୋଧୀ ସହ ବିଜେଡ଼ି ଆସିବା ନେଇ ଆଶା ରଖିଥିବା କେତେକ ନେତାଙ୍କୁ ଲାଗିଛି ବଡ଼ ଝଟକା ।












Click it and Unblock the Notifications