ନୂଆ ସଂସଦରେ ସ୍ଥାପନା ହେବ ସେନଗୋଲ, ଜାଣନ୍ତୁ ଏହା କ'ଣ ଏବଂ ଏହାର ଇତିହାସ...

ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଲ ମେ 28 ରେ ଉଦ୍ଘାଟନ କରିବେ । ଏହାପରେ ଦେଶକୁ ମିଳିବ ନୂଆ ସଂସଦ । ଏହି ଉଦଘାଟନୀ ସମାରୋହରେ ନୂତନ ସଂସଦରେ ସ୍ଥାପନା ହେବ 'ସେନଗୋଲ' । ତେବେ କଣ ଏହି ସେନଗୋଲ ? କଣ ରହିଛି ଏହା ଇତିହାସ ଆସନ୍ତୁ ଜାଣିବା ।
ନୂତନ ସଂସଦରେ ସ୍ଥାପନା ହେବ 'ସେନଗୋଲ' । ଏହା ହେଉଛି ନିରପେକ୍ଷ ଓ ନ୍ୟାୟୋଚିତ ଶାସନର ପ୍ରତୀକ । ତାମିଲରେ ସେନଗୋଲର ଅର୍ଥ ହେଉଛି ସମ୍ପଦା ଅର୍ଥାତ୍ ସମ୍ପନ୍ନ । ଏହାର ଅଗ୍ରଭାଗରେ ଭଗବାନ ଶିବଙ୍କ ବାହନ ନନ୍ଦୀ ଙ୍କ ର ଏକ ପ୍ରତିମୂର୍ତ୍ତି ରହିଛି । ଯାହାକି ନିରପେକ୍ଷ ଶାସନକୁ ସୂଚାଇଥାଏ ।
1947 ମସିହା ଅଗଷ୍ଟ 14 ରାତିରେ ଭାରତ ଯେତେବେଳେ ବ୍ରିଟିଶ କବଳରୁ ମୁକୁଳିଲା, ସେହି ସମୟରେ ମାଉଣ୍ଟ ବ୍ୟାଟେନ୍ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ହସ୍ତାନ୍ତର କରିଥିଲେ ।
ଏହି ଶାସନ ଭାର ହସ୍ତାନ୍ତରର ପ୍ରତୀକ ସେନଗୋଲ କୁ ମେ 28 ତାରିଖରେ ନୂତନ ସଂସଦ ଭବନରେ ସ୍ଥାପନା କରାଯିବ । ଏହି ରାଜଦଣ୍ଡକୁ ଏକ ଭବ୍ୟ ଶୋଭାଯାତ୍ରାରେ ନୂତନ ସଂସଦ ଭବନକୁ ସ୍ଥାନାନ୍ତର କରାଯିବ । ତାମିଲ ପରମ୍ପରାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶୋଭାଯାତ୍ରା ସମୟରେ ତାମିଲ କ୍ଲାସିକାଲ ବାଦ୍ୟଯନ୍ତ୍ର ବାଦନ କରାଯିବ । ତାମିଲ ସଂସ୍କୃତିର ମହାର୍ଘତାକୁ ଆପଣେଇ ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ସଂସଦ ଭବନ ଉଦଘାଟନ ସମୟରେ ଜଣେ 96 ବର୍ଷୀୟ ତାମିଲ ବିଦ୍ୱାନ ଉପସ୍ଥିତ ରହିବେ ଯିଏ କି 1947 ରେ ଉପସ୍ଥିତ ଥିଲେ ।
କଣ ରହିଛି ଏହାର ଇତିହାସ ?
ଚୋଳ ବଂଶରେ ରାଜ୍ୟର ଶାସନ ଭାର ଜଣେ ରାଜାଙ୍କ ଠାରୁ ଅନ୍ୟ ଜଣେ ରାଜାଙ୍କୁ ହସ୍ତାନ୍ତର ବେଳେ ଏହି ସେନଗୋଲ ଦିଆଯାଉଥିଲା । ହଜାର ହଜାର ବର୍ଷ ଆଗରୁ ଏହି ପରମ୍ପରା ରହିଆସିଛି । ତେଣୁ ଭାରତ ସ୍ୱାଧୀନତା ସମୟରେ ଏହାକୁ ହସ୍ତାନ୍ତର କରି ବ୍ରିଟିଶ ମାନେ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ ।
1947 ରେ ଯେତେବେଳେ ପଣ୍ଡିତ ନେହେରୁଙ୍କୁ ପଚରାଗଲା ଯେ, କ୍ଷମତା ହସ୍ତାନ୍ତର ସମୟରେ କଣ ଆୟୋଜନ ହେବା ଉଚିତ ? ସେତେବେଳେ ନେହେରୁ ନିଜ ସହଯୋଗୀଙ୍କ ସହ ଏ ବିଷୟରେ ଚର୍ଚ୍ଚା କରିଥିଲେ । ଏହି ସମୟରେ ସେନଗୋଲ୍ ପ୍ରକ୍ରିୟାକୁ ଚିହ୍ନଟ କରାଯାଇଥିଲା । ପଣ୍ଡିତ ନେହେରୁ ପବିତ୍ର ସେନଗୋଲକୁ ତାମିଲନାଡୁରୁ ମଗାଇ ଇଂରେଜମାନଙ୍କ ଠାରୁ ଏହାକୁ ସ୍ୱୀକାର କରିଥିଲେ । ଏହାର ଅର୍ଥ ଥିଲା ପାରମ୍ପାରିକ ତରିକାରେ ସତ୍ତା ବା କ୍ଷମତା ହାତକୁ ଆସିବା ।
ତାମିଲନାଡୁର ଏକ ଅଗ୍ରଣୀ ଧର୍ମ ମଠର ଆଧୀନାମ (ପୁରୋହିତ)ମାନଙ୍କ ଦ୍ୱାରା ଏହା ଆଶୀର୍ବାଦ ପ୍ରାପ୍ତ ହୋଇଛି । ଏହାର ଶୀର୍ଷ ଦେଶରେ ହାତରେ ଖୋଦେଇ ହୋଇଥିବା ନନ୍ଦୀ 'ନ୍ୟାୟ'ର ଦର୍ଶକ ଭାବରେ ଅପଲକ ନୟନରେ ଚାହିଁ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେନଗୋଲ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରୁ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ଶାସନ ଆଶା କରାଯାଏ ।












Click it and Unblock the Notifications