ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସି ନିଜ ଦଳକୁ ଘେରିଲେ ବିଜେପି ସାଂସଦ ପ୍ରୀତମ ମୁଣ୍ଡେ

କୁସ୍ତି ଫେଡେରେଶନର ପୂର୍ବତନ ସଭାପତି ତଥା ବିଜେପି ସାସଂଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି ମହିଳା କୁସ୍ତିଯୋଦ୍ଧାମାନେ ଏକ ମାସରୁ ଅଧିକ ସମୟ ଧରି ଧର୍ମଘଟ କରି ଆସୁଛନ୍ତି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଜେପି ମହିଳା ସାଂସଦ ପ୍ରୀତମ ମୁଣ୍ଡେ ମଧ୍ୟ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଆସିଛନ୍ତି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ସରକାରଙ୍କୁ ଅପିଲ୍ କରିଛନ୍ତି ।
ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରସଙ୍ଗ ସେତେବେଳେ ଆହୁରି ତୀବ୍ର ହେବାରେ ଲାଗିଲା ଯେତେବେଳେ ମେ 28 ରେ, ଜନ୍ତର ମନ୍ତରରେ ନୂତନ ସଂସଦ ଗୃହ ଆଡକୁ ଯାଉଥିବା କୁସ୍ତିଯୋଦ୍ଧାମାନଙ୍କୁ ପୋଲିସ୍ ଘୋଷାରି ନେବା ସହ ସେମାନଙ୍କୁ ଗିରଫ କରିଥିଲା । ଏପରିକି ସେମାନଙ୍କ ନାଁ ରେ ମାମଲା ରୁଜୁ ହୋଇଥିଲା । ଯାହା ପରେ ସାରା ଦେଶରେ ଲୋକମାନେ ସରକାରଙ୍କ ଉପରେ କ୍ରୋଧ ପ୍ରକାଶ କରିବା ଆରମ୍ଭ କରିଥିଲେ । ଏହା ପରେ ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ବର୍ତ୍ତମାନ ନିଜ ଦଳ ବିରୋଧରେ ଯାଇ ମହିଳା ରେସଲରଙ୍କୁ ସମର୍ଥନ ଦେଇଛନ୍ତି ।
ମହାରାଷ୍ଟ୍ରର ବିଡରୁ ବିଜେପି ସାଂସଦ ପ୍ରୀତମ ମୁଣ୍ଡେ କୁସ୍ତିଯୋଦ୍ଧାମାନଙ୍କୁ ସମର୍ଥନ ଜଣାଇ ସେମାନଙ୍କ ଅଭିଯୋଗର ସମାଧାନ କରିବାକୁ ଦାବି କରିଛନ୍ତି । ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଜେପି ସାଂସଦ କହିଛନ୍ତି ଯେ ମହିଳା କୁସ୍ତିଯୋଦ୍ଧାଙ୍କ ଧର୍ମଘଟକୁ ନେଇ ସରକାର ଯଥାଶୀଘ୍ର ହସ୍ତକ୍ଷେପ କରନ୍ତୁ । ଗଣତନ୍ତ୍ରରେ ଯଦି ତାଙ୍କ ସ୍ୱର ଶୁଣାଯାଏ ନାହିଁ, ତେବେ ଏହା ଚିନ୍ତାର ବିଷୟ ହେବ ବୋଲି କହିଛନ୍ତି ।
ମହାରାଷ୍ଟ୍ରର ବିଡ୍ ଲୋକସଭା ଆସନରୁ ସାଂସଦ ପ୍ରୀତମ ମୁଣ୍ଡେ ହେଉଛନ୍ତି ସ୍ୱର୍ଗତ ବିଜେପି ଭେଟେରାନ ଗୋପୀନାଥ ମୁଣ୍ଡେଙ୍କ ଝିଅ ଏବଂ ବିଜେପି ସାଂସଦ ପଙ୍କଜା ମୁଣ୍ଡେଙ୍କ ଭଉଣୀ । ବୃତ୍ତିରେ ପ୍ରୀତମ ମୁଣ୍ଡେ ଜଣେ ଡାକ୍ତର । ଏହା ସହିତ ସେ ମହାରାଷ୍ଟ୍ରରେ ସର୍ବାଧିକ ଭୋଟ୍ ପାଇ ଲୋକସଭା ନିର୍ବାଚନରେ ଜିତିବାର ରେକର୍ଡ ମଧ୍ୟ ରଖିଛନ୍ତି । ମହିଳାମାନଙ୍କ ମଧ୍ୟରେ ପ୍ରୀତମ୍ ମଧ୍ୟ ବହୁତ ଲୋକପ୍ରିୟ ।












Click it and Unblock the Notifications