ବିବାଦରେ ନୂଆ ସଂସଦ, ଉଦଘାଟନ ସମାରୋହରୁ ନିଜକୁ ଦୂରେଇ ରଖୁଛନ୍ତି ଏହି ଦଳ

ନୂତନ ସଂସଦ ଗୃହ ଆରମ୍ଭ ହେବ ଦିନ ଠାରୁ ବିବାଦ ଘେରରେ ରହି ଆସୁଛି । ପୂର୍ବରୁ ଭିଷ୍ଟା ପ୍ରକଳ୍ପ ଏବଂ ଅଶୋକ ସ୍ତମ୍ଭକୁ ନେଇ ରାଜନୀତି ହୋଇଥିବା ବେଳେ ବର୍ତ୍ତମାନ ଏହାର ଉଦଘାଟନ ସମାରୋହକୁ ନେଇ ତେଜିଛି ବିବାଦ । ନୂତନ ସଂସଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ରାଷ୍ଚ୍ରପତିଙ୍କୁ ନିମନ୍ତ୍ରଣ ନ କରିବାକୁ ନେଇ ବିରୋଧ କରିଛନ୍ତି ଅନେକ ବିରୋଧୀ ଦଳ ।
ଏପରିକି ଏହି ଉଦଘାଟନୀ ସମାରୋହରୁ ନିଜକୁ ଦୂରେଇ ରଖିବା ପାଇଁ ଟିଏମସି, ଆମ୍ ଆଦମୀ ପାର୍ଟି, ସିପିଆଇ ଘୋଷଣା କରିଛନ୍ତି । ଏହା ସହିତ କଂଗ୍ରେସ ଏବଂ ଆରଜେଡି ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ । ଏହି ଦଳଗୁଡିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବଦଳରେ ମାନ୍ୟବର ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ୍ ।
28 ମେ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଗୃହର ଉଦଘାଟନ କରିବେ । ବିରୋଧୀ ଦଳଗୁଡିକ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ବଦଳରେ ମାନ୍ୟବର ରାଷ୍ଟ୍ରପତି ନୂତନ ସଂସଦ ଗୃହର ଉଦଘାଟନ କରିବା ଉଚିତ୍ । ସୂତ୍ରରୁ ପ୍ରକାଶ ଯେ ବିରୋଧୀ ଦଳ ଶୀଘ୍ର ଏ ବାବଦରେ ମିଳିତ ବିବୃତ୍ତି ଦେଇପାରନ୍ତି ।
ନୂତନ ସଂସଦ ଭବନର ଉଦ୍ଘାଟନୀ ସମାରୋହରେ ଯୋଗଦେବାକୁ ଦଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ସଂସଦ କେବଳ ଏକ ନୂତନ କୋଠା ନୁହେଁ । ଏହା ମଧ୍ୟ ପୁରୁଣା ପରମ୍ପରା, ମୂଲ୍ୟବୋଧ ଏବଂ ନିୟମର ପ୍ରତିଷ୍ଠା । ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରବିବାର ଦିନ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହ 'ମୁଁ ଏବଂ ମୋର' ଏକ କାର୍ଯ୍ୟକ୍ରମ, ତେଣୁ ଆମେ ଏଥିରୁ ଦୂରେଇ ରହିଛୁ ।
ଆମ୍ ଆଦମୀ ପାର୍ଟି ମଧ୍ୟ ଆସନ୍ତା 28 ରେ ନୂତନ ସଂସଦ ଗୃହର ଉଦଘାଟନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି । ଆମ୍ ଆଦମୀ ପାର୍ଟି କହିଛି ଯେ ଉଦଘାଟନୀ ସମାରୋହରେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବାରୁ ଦଳ ଏହି ସମାରୋହଠାରୁ ଦୂରରେ ରହିବାକୁ ନିଷ୍ପତ୍ତି ନେଇଛି ।
ସଂସଦ ଗୃହର ଉଦଘାଟନୀ ସମାରୋହରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଆମନ୍ତ୍ରଣ ନକରିବା ଏକ ଅପମାନଜନକ ଘଟଣା ବୋଲି AAP ସାଂସଦ ସଞ୍ଜୟ ସିଂ ଟ୍ୱିଟ୍ କରିଛନ୍ତି । ଏହା ଦଳିତ ଆଦିବାସୀ ତଥା ଭାରତର ବଞ୍ଚିତ ସମାଜ ପାଇଁ ଅପମାନ । ମୋଦୀଙ୍କ ଦ୍ୱାରା ମହାମହିମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ବିରୋଧରେ ଆମ୍ ଆଦମୀ ପାର୍ଟି ଉଦଘାଟନୀ କାର୍ଯ୍ୟକ୍ରମକୁ ବହିଷ୍କାର କରିବ ।
ନୂତନ ସଂସଦ ଭବନର ଉଦଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅବହେଳା କରିବା ପାଇଁ ସିପିଆଇ (ଏମ୍) ଦାୟୀ କରିଛନ୍ତି। ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଟ୍ୱିଟ୍ କରି କହିଛନ୍ତି ଯେ ଯେତେବେଳେ ନୂତନ ସଂସଦ ଭବନର ମୂଳଦୁଆ ପକାଯାଉଛି, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କୁ ଅଲଗା କରିଛନ୍ତି। କିନ୍ତୁ ଉଦ୍ଘାଟନୀ ସମାରୋହରେ ମଧ୍ୟ ମାନ୍ୟବର ରାଷ୍ଟ୍ରପତିଙ୍କୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ।
ଏହି ନୂଆ ସଂସଦର ଉଦଘାଟନୀ କାର୍ଯ୍ୟକ୍ରମ ତାରିଖକୁ ନେଇ ମଧ୍ୟ ଉପୁଜିଛି ବିବାଦ । କୌତୁହଳର ବିଷୟ, ମେ 28 ହେଉଛି ବୀର ସାବରକରଙ୍କ ଜନ୍ମ ବାର୍ଷିକୀ । ସେ 28 ମଇ 1883 ରେ ଜନ୍ମଗ୍ରହଣ କରିଥିଲେ । ଏହି ବର୍ଷ ତାଙ୍କର 140 ତମ ଜନ୍ମ ବାର୍ଷିକୀ 28 ମେ ରେ ପାଳନ କରାଯିବ । ଏହି ଭଳି ଦିନରେ ନୂତନ ସଂସଦ ଗୃହ ଉଦଘାଟନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।












Click it and Unblock the Notifications