'କୋଭାକ୍ସିନ୍' କୁ ଅନୁମୋଦନ କଲା WHO, 8 ନଭେମ୍ବରରୁ ଆମେରିକାରେ ପ୍ରବେଶ କରିବାକୁ ଭାରତୀୟଙ୍କୁ ମିଳିବ ଅନୁମତି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତ ବାୟୋଟେକର 'କୋଭାକ୍ସିନ୍' କୁ ଅନୁମୋଦନ କରିଛି । କୋଭାକ୍ସିନ୍ ଅନୁମୋଦନ ପରେ ଆମେରିକା (ଯୁକ୍ତରାଷ୍ଟ୍ର) ଏହାର ଟିକା ତାଲିକାକୁ ଅପଡେଟ୍ କରିଛି ।
ନୂଆଦିଲ୍ଲୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତ ବାୟୋଟେକର 'କୋଭାକ୍ସିନ୍' କୁ ଅନୁମୋଦନ କରିଛି । କୋଭାକ୍ସିନ୍ ଅନୁମୋଦନ ପରେ ଆମେରିକା (ଯୁକ୍ତରାଷ୍ଟ୍ର) ଏହାର ଟିକା ତାଲିକାକୁ ଅପଡେଟ୍ କରିଛି । ଏଥିସହ ଟିକାର ଉଭୟ ଡୋଜ ନେଇଥିବା ଯାତ୍ରୀମାନଙ୍କ ପାଇଁ ଆମେରିକା ଦ୍ୱାର ଖୋଲିଛି । ଏହି ସଂଶୋଧିତ ନିୟମଗୁଡିକ ନଭେମ୍ବର 8 ରୁ ଲାଗୁ ହେବ ।

ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର (ସିଡିସି)ର ପ୍ରେସ ଅଧିକାରୀ ସ୍କଟ ପାଁଲୀ ନ୍ୟୁଜ୍ ଏଜେନ୍ସି ANI କୁ କହିଛନ୍ତି, 'ଜରୁରୀକାଳୀନ ବ୍ୟବହାର ପାଇଁ FDA ଏବଂ WHO ଦ୍ୱାରା ଅନୁମୋଦିତ ଟିକା ତାଲିକା ଅନୁଯାୟୀ ସିଡିସିର ଯାତ୍ରା ନିର୍ଦ୍ଦେଶାବଳୀ ଲାଗୁ ହୋଇଥାଏ । ସମୟ ସହିତ ସେହି ତାଲିକାରେ ଯେକୌଣସି ନୂତନ ଟିକାକୁ ସାମିଲ କରାଯାଇପାରେ ।'
26 ଅକ୍ଟୋବରରେ WHO କମିଟି କୋଭାକ୍ସିନ୍ ନିର୍ମାତା ଭାରତ ବାୟୋଟେକ୍ ଠାରୁ କିଛି ସୂଚନା ମାଗିଥିଲା । ଏହା ପରେ 03 ନଭେମ୍ବରରେ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ରେ ଏହି ଟିକା ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନିଆଗଲା । WHO ର ବୈଷୟିକ ପରାମର୍ଶଦାତା ଗୋଷ୍ଠୀ କହିଛନ୍ତି ଯେ ଏହି ଟିକା କରୋନା ସଂକ୍ରମଣରୁ ରକ୍ଷା ପାଇଁ ମାନକ ପୂରଣ କରେ ଏବଂ ଏହା ବିଶ୍ୱବ୍ୟାପୀ ବ୍ୟବହାର କରାଯାଇପାରିବ । ଗର୍ଭବତୀ ମହିଳାଙ୍କ ଉପରେ ଏହି ଟିକା ବ୍ୟବହାର ଅନୁମତି ମଧ୍ୟ WHO ଦ୍ୱାରା ମିଳିଛି ।
କୋଭାକ୍ସିନ୍ ହେଉଛି ଭାରତରେ ବିକଶିତ କରୋନା ଟିକା । ଏହାକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ କମ୍ପାନୀ ପ୍ରସ୍ତୁତ କରିଛି । ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ତାଲିକା (EUL) ରେ ଅନ୍ତର୍ଭୁକ୍ତ କରିବା ପାଇଁ ଭାରତ ବାୟୋଟେକ୍ ଚଳିତ ବର୍ଷ ଏପ୍ରିଲ୍ 19 ରେ WHO ରେ ଆବେଦନ କରିଥିଲା । ସାତ ମାସ ଅପେକ୍ଷା କରିବା ପରେ ଏହି ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରିଛି ।












Click it and Unblock the Notifications