ବ୍ଲାକ ଫଙ୍ଗସ ପରେ ହ୍ବାଇଟ୍ ଫଙ୍ଗସ ଆତଙ୍କ ; ବିହାରରେ 4 ରୋଗୀ ଚିହ୍ନଟ
ସଂକ୍ରମଣ ଏକ ଆତଙ୍କ ଖେଳାଇଥିବା ବେଳେ ପୁଣି ବିହାରର ରାଜଧାନୀ ପାଟନାରେ ହ୍ବାଇଟ୍ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି । ଏଠାରେ 4 ରୋଗୀଙ୍କଠାରେ ହ୍ବାଇଟ୍ ଫଙ୍ଗସ ଚିହ୍ନଟ କରାଯାଇଛି । ବ୍ଲାକ ଫଙ୍ଗସଠାରୁ ହ୍ବାଇଟ୍ ଫଙ୍ଗସ ଅଧିକ ପ୍ରାଣଘାତୀ ବୋଲି କୁହାଯାଉଛି ।
ନୂଆଦିଲ୍ଲୀ : ସାରା ଦେଶ କରୋନା ମହାମାରୀ ମଧ୍ୟ ଦେଇ ଗତି କରୁଥିବା ବେଳେ ପ୍ରଥମେ ଦେଖାଦେଇଥିଲା ବ୍ଲାକ୍ ଫଙ୍ଗସ୍ ଅର୍ଥାତ୍ ମ୍ୟୁକର ମାଇକୋସିସ୍ । ଏହି ସଂକ୍ରମଣ ଏକ ଆତଙ୍କ ଖେଳାଇଥିବା ବେଳେ ପୁଣି ବିହାରର ରାଜଧାନୀ ପାଟନାରେ ହ୍ବାଇଟ୍ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି । ଏଠାରେ 4 ରୋଗୀଙ୍କଠାରେ ହ୍ବାଇଟ୍ ଫଙ୍ଗସ ଚିହ୍ନଟ କରାଯାଇଛି । ବ୍ଲାକ ଫଙ୍ଗସଠାରୁ ହ୍ବାଇଟ୍ ଫଙ୍ଗସ ଅଧିକ ପ୍ରାଣଘାତୀ ବୋଲି କୁହାଯାଉଛି । ଏହା ମୁଖ୍ୟତଃ ଫୁସଫୁସ ସଂକ୍ରମଣର ମୁଖ୍ୟ କାରଣ ହୋଇଥାଏ । ଏହା ସହିତ ଏହି ଫଙ୍ଗସ ମଣିଷର ଚର୍ମ, ନଖ, ମୁହଁର ଭିତର ଅଂଶ, ଆମାଶୟ, ଅନ୍ତ୍ରନଳୀ, କିଡ୍ନୀ, ଗୁପ୍ତାଙ୍ଗ ଏବଂ ମସ୍ତିଷ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ ।

ମିଳିଥିବା ସୂଚନା ଅନୁସାରେ, ପାଟନାରେ ବର୍ତ୍ତମାନ ସୁଦ୍ଧା ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା 4 ରୋଗୀଙ୍କୁ ଚିହ୍ନଟ କରାଯାଇଛି । ପାଟନା ଚିକିତ୍ସା ମହାବିଦ୍ୟାଳୟ ଏବଂ ଡାକ୍ତରଖାନାରେ ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା. ଏସ.ଏନ. ସିଂହ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ରୋଗୀଙ୍କଠାରେ କରୋନା ଭଳି ଲକ୍ଷଣ ରହିଥିଲା । ସେମାନଙ୍କର 3 ପ୍ରକାର କରୋନା ପରୀକ୍ଷା କରାଯାଇଥିଲା । ରାପିଡ୍ ଆଣ୍ଟିଜେନ୍, ରାପିଡ ଆଣ୍ଟିବଡି ଏବଂ ଆରଟି-ପିସିଆର ପରୀକ୍ଷା ହୋଇଥିଲା । କିନ୍ତୁ ସବୁଥିରେ ରିପୋର୍ଟ ନେଗେଟିଭ ଆସିଥିଲା । କରୋନା ସମ୍ବନ୍ଧୀୟ ଔଷଧର ମଧ୍ୟ କୌଣସି ପ୍ରଭାବ ଏମାନଙ୍କ ଶରୀରରେ ପଡୁ ନ ଥିଲା । ତେଣୁ ଅଧିକ ପରୀକ୍ଷାନିରୀକ୍ଷା କରାଯିବା ପରେ ସେମାନେ ହ୍ବାଇଟ୍ ଫଙ୍ଗସରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ସେମାନଙ୍କୁ ଫଙ୍ଗଲ ନିରୋଧୀ ଔଷଧ ଦେବା ପରେ ସେମାନେ ସୁସ୍ଥ ହୋଇଥିଲେ ।
ଲକ୍ଷଣ-
କରୋନା ଏବଂ ହ୍ବାଇଟ୍ ଫଙ୍ଗସ ମଧ୍ୟରେ ପ୍ରଭେଦ ଜାଣିବା ବହୁତ କଷ୍ଟକର ବୋଲି ଡା. ସିଂହ କହିଛନ୍ତି । ରୋଗୀଙ୍କର ଯେତେବେଳେ ସିଟି ସ୍କାନ କରାଯାଏ, ସେତେବେଳେ ଫୁସଫୁସରେ ସଂକ୍ରମଣ ଲକ୍ଷଣ କରୋନା ଭଳି ଦେଖାଯାଇଥାଏ । ତେଣୁ କରୋନା ଏବଂ ହ୍ବାଇଟ୍ ଫଙ୍ଗସ ଭିତରେ ପ୍ରଭେଦ ଜାଣିବା କଷ୍ଟକର ହୋଇଥାଏ । ଏହି ରୋଗୀଙ୍କର ରାପିଡ୍ ଆଣ୍ଟିଜେନ, ଆରଟି-ପିସିଆର ପରୀକ୍ଷା ନେଗେଟିଭ ଆସିଥାଏ । ଯଦି ସିଟି ସ୍କାନରେ କରୋନା ଭଳି ଲକ୍ଷଣ ଦେଖାଦିଏ, ତେବେ ମ୍ୟୁକସ କଲ୍ଚର କରାଇବା ଦ୍ବାରା ହ୍ବାଇଟ୍ ଫଙ୍ଗସ ଚିହ୍ନଟ କରାଯାଇପାରିବ ।
ସେହିପରି ଯେଉଁ ରୋଗୀମାନେ ଅମ୍ଳଜାନ ସପୋର୍ଟରେ ରହିଥାନ୍ତି ସେମାନେ ହ୍ବାଇଟ୍ ଫଙ୍ଗସର ଶିକାର ହୋଇପାରନ୍ତି । ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ବି ହ୍ବାଇଟ୍ ଫଙ୍ଗସ ହୋଇଥାଏ ବୋଲି ଡାକ୍ତର କହିଛନ୍ତି । ଏହାବ୍ୟତୀତ ଡାଇବେଟିସ୍, ଆଣ୍ଟିବାୟୋଟିକ୍ ସେବନ କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ଷ୍ଟେରଏଡ୍ ସେବନ ଦ୍ବାରା ଏହି ଫଙ୍ଗସରେ ଲୋକେ ଆକ୍ରାନ୍ତ ହୋଇଥାନ୍ତି । କର୍କଟ ରୋଗୀ ମଧ୍ୟ ଏହି ଫଙ୍ଗସରୁ ସତର୍କ ରହିବା ଜରୁରୀ ବୋଲି ସେ କହିଛନ୍ତି ।












Click it and Unblock the Notifications